କାର-ବୁଲେଟ ମୁହାଁମୁହିଁ ଧକ୍କା, ଜଣେ ଗୁରତର 

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ସରଦେଇପୁର ନିମାପଡା ରାସ୍ତାର ଆଜି ଅପରାହ୍ନରେ କାର ଏବଂ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବୁଲେଟ ଚାଳକ ବାଲିପାଟଣାର ଲକ୍ଷ୍ମୀଧର ସାହୁ ଗୁରତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଗାଡ଼ି ୨ଟିକୁ ପୁଲିସ ଜବତ କରିଥିବା ବେଳେ କାର ଚାଳକଙ୍କୁ ଥାନାରେ ଅଟକ ରଖିଛି।

ସୂଚନା ଅନୁସାରେ, ଲକ୍ଷ୍ମୀଧରଙ୍କର ଅଠାନ୍ତର ମେଡିକାଲ ଛକର କାଶି ବିଶ୍ୱନାଥ ସ୍ପେୟାର ପାର୍ଟସ ଦୋକାନ ଅଛି। ସେ ତାଙ୍କ ବୁଲେଟ (୩୩ ଜେ ୯୮୩୩) ଦୋକାନ ଅଭିମୁଖେ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ଭୁବନେଶ୍ୱର ଜଗନ୍ନାଥ ବିହାର ଲେନ-୧ ଅଞ୍ଚଳର ବଳରାମ ପାଣିଗ୍ରାହୀ (୬୫) କାର (ଓଡି ୦୧ ଏକ୍ସ-୪୫୫୪) ଯୋଗେ ଭୁବନେଶ୍ୱର ଫେରୁଥିଲେ। ସେ ଗୋପ ଅଞ୍ଚଳରେ ନିଗମାନନ୍ଦଙ୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଉଥିବା ସୂଚନା ମିଳିଛି।

ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ବାଲିପାଟଣା ଅଠାନ୍ତର ମେଡିକାଲ ଛକ ମଧ୍ୟ ବର୍ତି ସ୍ଥାନରେ ବୁଲେଟ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଉଥିଲା। ବୁଲେଟ ଚାଳକ ଗାଡ଼ି ସହ ବିଲରେ ଛିଟିକି ଥିଲେ। କାର ଚାଳକ ମଧ୍ୟ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ।ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଡାହାଣ ହାତ ଭାଙ୍ଗି ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଛି। କାର ସମ୍ମୁଖ ଭାଗ ଗଛରେ ପିଟି ହୋଇ ଭାଙ୍ଗି ଯାଇଛି। ଅନ୍ୟ ଜଣେ ବାଇକ ଚାଳକ ମଧ୍ୟ ରାସ୍ତାରେ ପଡିଥିଲେ। କାର ଚାଳକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଅନ୍ୟ ଏକ ବାଇକ ଘଟଣା ସ୍ଥଳରେ ଦୁର୍ଘଟଣାର ଶିକାର ହୋଇଥିଲା। କିନ୍ତୁ ତାଙ୍କ ପରିଚୟ ମିଳି ପାରିନାହିଁ। ଲକ୍ଷ୍ମୀଧରଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର