ଟ୍ରକ ପଛରେ ପିଟିହେଲା କାର: ୫ ଆହତ

ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବଡ଼ପଦନା ଛକ ନିକଟରେ ଆଜି ପୂର୍ବାହ୍ନ ସାଢେ ୧୧ ‌ବେଳେ ଟ୍ରକ ପଛରେ ଏକ କାର ପିଟିହୋଇଯିବାରୁ ଅତିକମରେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ କେନ୍ଦୁଝର ଘଟଗାଁ ଅଞ୍ଚଳର ଓକିଲ ନରେନ୍ଦ୍ର ସାହୁ (୫୦) ନିଜ ପତ୍ନୀ ଏବଂ ୩ ପିଲାଙ୍କୁ ନେଇ ନିଜ ମାରୁତି କାର(ଓଆର୍୦୫ ଏକେ ୨୨୧୭)ରେ ଘଟଗାଁରୁ କଟକ ଅଭିମୁଖେ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ପଦନା ଛକ ନିକଟରେ ଠିଆ ହୋଇଥିବା ଏକ ୧୦ଚକିଆ ଲୁହା ପଥର ବୋଝେଇ ଟ୍ରକ (ଓଆର୍ ୦୫ଏବି ୧୮୯୫) ପିଟି ହୋଇଯିବାରୁ ନରେନ୍ଦ୍ରଙ୍କ ସମେତ ପତ୍ନୀ ଓ ୩ ପିଲା ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ଆହାତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଦୁଇ ପିଲାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁୁ କଟକ ବଡ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଛି। ପଦନା ବଜାର ରାମଚନ୍ଦ୍ରପୁର ଅଞ୍ଚଳର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବା ବେଳେ ଜନ ଗହଳି ଅଞ୍ଚଳ ସାଙ୍ଗକୁ ରାସ୍ତାକଡରେ ବେଆଇନ ଭାବେ ଲୁହାପଥର ବୋଝେଇ ଗାଡ଼ି ଠିଆ ହୋଇ ରହୁଥିବାରୁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି ଏବଂ ଧନ ଜୀବନ ହାନି ହେଉଛି। ସ୍ଥାନୀୟ ପୁଲିସ ପ୍ରଶାସନ ତରଫରୁ ସ୍ପିଡବ୍ରେକର ଲଗାଇବା ସହ ରାସ୍ତା ଉପରୁ ବେଆଇନ ପାର୍କିଂ ହଟାଇବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର