କାର ଧକ୍କାଦେଇ ନେଇଥିଲେ ବୃଷଭଙ୍କ ପ୍ରାଣ, ବନ୍ଧା ହେଲେ ଅଭିଯୁକ୍ତ କାର ଚାଳକ 

ବାରିପଦା: ଗତ ଜୁଲାଇ ୧୬ ରାତି ସାଢ଼େ ୯ ସମୟରେ ବାରିପଦା ପୌର ପରିଷଦର ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଓଡ଼ି ୧୧ ଡ଼ି ୫୫୬୪ ନମ୍ବର ବିଶିଷ୍ଟ କାରର ଚାଳକ ବେପରୁଆ ଭାବେ କାର ଚଳାଇ ଯାଉଥିବା ସମୟରେ  ରାସ୍ତା ଉପରେ ଏକ ବୁଲା ଷଣ୍ଢକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକୁ ନେଇ ୱାର୍ଡ଼ ନମ୍ବର ୨୬ ବୁଢ଼ିଖମାରୀ ଅଞ୍ଚଳର ଜିତେନ୍ଦ୍ର ପଲେଇ ଜୁଲାଇ ୧୮ରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୁଲିସ ପକ୍ଷରୁ ଥାନାରେ ଆଇପିସି ଧାରା ୨୭୯, ୪୨୯ ଅନୁସାରେ କେଶ ନମ୍ବର ୬୫୬ରେ ଏକ ମାମଲା ରୁଜୁ କରାଯାଇ ବାରିପଦା ଭିଏସଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ସମୟରେ କାରର ପଞ୍ଜିକରଣ ନମ୍ବର ଦ୍ୱାରା ମୟୂରଭଞ୍ଜ  ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରୁ କାରର ମାଲିକ ଓ ଚାଳକଙ୍କ ସମ୍ପର୍କରେ ସୂଚନା ପ୍ରାପ୍ତି ହେବା ପରେ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତ ବାରିପଦା ସହରର ୱାର୍ଡ଼ ନମ୍ବର ୨୨ ରଘୁନାଥପୁର ଅଞ୍ଚଳର ଚନ୍ଦନ କୁମାର ବେହେରା(୩୦)ଙ୍କ  ଓଡ଼ି ୧୧ ଡ଼ି ୫୫୬୪ ନମ୍ବର ବିଶିଷ୍ଟ କାରକୁ ଜବତ କରିବା ସହ ଆଇନ ଆନୁସାରେ କାରର ସମସ୍ତ କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ସହ ଥାନାରେ ଉପସ୍ଥିତ ହେବା ନିମନ୍ତେ ନୋଟିସ ଜାରି କରାଯାଇଥିଲା ।
ମାତ୍ର ଚନ୍ଦନ ବେହେରା ପୁଲିସର ନୋଟିସ ନେବାକୁ ପ୍ରତ୍ୟାଖ୍ୟାନ କରିବାରୁ ଥାନା ପୁଲିସ ଜୁଲାଇ ୨୪ରେ  ଚନ୍ଦନଙ୍କୁ ଗିରଫ କରି ବାରିପଦା ଏସଡ଼ିଜେଏମଙ୍କ ଅଦାଲତରେ ହାଜର କରାଇଥିଲେ । ଏକ ନିରୀହ ପ୍ରାଣୀକୁ ଧକା ଦେଇ ପ୍ରାଣ ନେଇଥିବା ଗାଡି ଚାଳକକୁ ଗିରଫ କରି ବାରିପଦା ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ଉଦାହରଣ ସୃଷ୍ଟି କରିଥିବା ମତ ରଖିଛନ୍ତି ପୁର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ। କାରଣ ଏହିପରି ଅମାନିଆ ଗାଡି ଚାଳକମାନେ ଏହି ଘଟଣାରୁ ଶିକ୍ଷା ଲାଭ କରିବେ ଏବଂ ନିରୀହ ପ୍ରାଣୀଙ୍କୁ କ୍ଷତି ପହଂଚାଇବା ପୂର୍ବରୁ ଚିନ୍ତା କରିବେ। ଏନେଇ ଆଇଆଇସି ଶ୍ରୀ ସେନାପତିଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର