ଟ୍ରକ୍‌ ଧକ୍କାରେ କାର୍‌ ଚୂରମାର, ଚାଳକ ମୃତ

ବାଂଶପାଳ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କାଞ୍ଜିପାଣି ନିକଟରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଚୂରମାର ହୋଇଯାଇଛି କାର୍‌। ଏଥିରେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିରିକଳା ଗ୍ରାମର ସୁରେନ୍ଦ୍ର କୁମାର ପଲେଇ (୩୦)। ସୁରେନ୍ଦ୍ର ଏକ କାର୍‌ (ଓଡି-୦୨-ଏଏମ୍‌-୪୫୮୬)ରେ ଭଉଣୀଘର କାଞ୍ଜିପାଣିରୁ ବାଂଶପାଳ ଫେରୁଥିଲେ। କା‌ଞ୍ଜିପାଣି ନିକଟରେ ଏକ ଅଜଣା ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯିବା ସହ ସୁରେନ୍ଦ୍ର ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଓ କାଞ୍ଜିପାଣି ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରିଛି। ସୁରେନ୍ଦ୍ର ଜଣେ ଟ୍ରକ୍‌ ଡ୍ରାଇଭର। ସେ ଆଜି ନିଜ ମାଲିକଙ୍କ କାର୍‌ ନେଇ କାଞ୍ଜିପାଣିସ୍ଥିତ ଭଉଣୀଘରକୁ ଯାଇଥିଲେ। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର