ସିମୁଳିଆ: ୧୦ ଫୁଟ୍‌ ତଳକୁ ଖସିପଡ଼ିଲା ବରକନ୍ୟା କାର୍‌। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟରେ।
ବାଲେଶ୍ବର ସହର ଶୋଭାରାମପୁର ଅଞ୍ଚଳର ଜଣେ ଯୁବକ କଟକ ଜିଲ୍ଲା ନିଆଳି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ଗତକାଲି ବାହାଘର ହୋଇଥିଲା। ବାହାଘର ସାରି ବରକନ୍ୟା ଏକ କାର୍‌ ଯୋଗେ ବାଲେଶ୍ବର ଆସୁଥିଲେ।

Advertisment

ଏହି ସମୟରେ ଭାରସାମ୍ୟ ହରାଇ ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ଟି ୧୦ ଫୁଟ୍‌ ଉଚ୍ଚ ଏକ ପୋଲ ତଳକୁ ଖସିପଡ଼ିଥିଲା। ତେବେ ବର୍ଷା ଯୋଗୁଁ ପୋଲ ତଳେ କାଦୁଆ ଥିବାରୁ କାହାର କିଛି କ୍ଷତି ହୋଇ ନଥିଲା। ସ୍ଥାନୀୟ ଲୋକମାନେ ବରକନ୍ୟାଙ୍କ ସହ ବରପିତା ଓ କାର୍‌ ଚାଳକଙ୍କୁ ଗାଡ଼ିରୁ ସୁରକ୍ଷିତ ବାହାର କରିଥିଲେ। ବରକନ୍ୟା ଓ ଅନ୍ୟମାନେ ପଛରେ ଆସୁଥିବା ତାଙ୍କର ଏକ ବରଯାତ୍ରୀ ଗାଡ଼ିରେ ଘରକୁ ଯାଇଥିଲେ। ସିମୁଳିଆ ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଉଦ୍ଧାର କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।