ପୁଅକୁ ଚାକିରି କ୍ଷେତ୍ରକୁ ଛାଡ଼ିବାକୁ ଗଲାବେଳେ ଟ୍ରକ୍‌ର ପଛପଟେ ପିଟିହେଲା କାର:  ୪ , ୨ ଗୁରୁତର

ସାଲେପୁର: ପୁଅ ଯିବ ଚାକିରି କ୍ଷେତ୍ର ବେଙ୍ଗାଲୁରକୁ। ଭୋର ଭୋରରୁ ଏକ କାର  ଯୋଗେ ପୁଅକୁ ଧରି ବାପାମା ଓ ଅନ୍ୟ ସମ୍ପର୍କୀୟ ଭାଇ ମାନେ କଟକ ଷ୍ଟେସନକୁ ଯାଉଥିଲେ। ମାତ୍ର କଟକ ଠାରୁ ଅଳ୍ପ ଦୂରରେ ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ନିକଟରେ  ରାସ୍ତା କଡରେ ରଖାଯାଥିବାଏକ ଟ୍ରକ୍‌ ପଛ ପଟେ ପିଟି ହୋଇଗଲା କାର୍‌। ଫଳରେ ଘଟଣାସ୍ଥଳରେ ବାପା, ମା ପୁଅ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ କଟକରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସମ୍ବଲପଡ଼ା ଗ୍ରାମର ସେକ୍‌ ସେରୁ ଅଲ୍ଲୀ(୫୦ବର୍ଷ)ଙ୍କ ପୁଅ ସେକ ସିରାଜ(୨୫ ବର୍ଷ) ବେଙ୍ଗାଲୁରରେ ଚାକିରି କରନ୍ତି। ସେ ଗତ କିଛି ଦିନ ତଳେ ଘରକୁ ଆସଥିଲେ। ଆଜି ଭୋରରୁ ସେ କଟକ ଷ୍ଟେସନରେ ଟ୍ରେନ୍‌୍‍ ଧରିବା ପାଇଁ ଘରୁ ବାହାରି ଥିଲେ। ତେଣୁ ସିରାଜଙ୍କୁ ଷ୍ଟେସନ୍‌ରେ ଛାଡ଼ିବ ପାଇଁ ବାପା  ସେକ ସେରୁ ଅଲ୍ଲୀ, ମାଆ ଆଲିଜା ବିବି(୪୫ ବର୍ଷ) ସମ୍ପର୍କୀୟ ଭାଇ ସେକ୍‌ ତନଓ୍ଵାର ଅଲ୍ଲୀ ଖା(୨୭ବର୍ଷ)  ଅନ୍ୟ ଦୁଇ ସମ୍ପର୍କୀୟ ଆଶିଷ ଜମାଲ, ସେକ୍‌ ଫଆଜ ଖାଁ ଏକ କାର ଯୋଗେ କଟକ ଯାଉଥିଲେ। ତେବେ ପୀରବଜାର ପାଖରେ ରାସ୍ତାକଡ଼ରେ ରଖାଯାଇଥିବାଏକ ଟ୍ରକ୍‌ ପଛ ପଟେ ଅତି ଦୃତଗତିରେ ଆସି କାରଟି ପିଟି ହୋଇଯିବାରୁ  ଘଟଣାସ୍ଥଳରେ ସେକ୍‌ ସେରୁ ଅଲ୍ଲୀ, ତାଙ୍କ ପତ୍ନୀ ଆଲିଜା ବିବି, ପୁଅ ସେକ୍‌ ସିରାଜ, ପୁତୁରା ସେକ୍‌ ତନଓ୍ଵାର ଅଲ୍ଲୀ ଖାଁଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଭାବେ  ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର