ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ ବିଜେପିର ଜୋରଦାର ବିରୋଧ, ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା

କର୍ଲାମୁଣ୍ଡା: ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସମୟରେ ବିଜେପି କର୍ମୀମାନେ ଜୋରଦାର ବିରୋଧ କରିଛନ୍ତି। ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ଗାଡ଼ିର କାଚକୁ ଭାଙ୍ଗିଛନ୍ତି। ବିଜେପି କର୍ମୀ ମାନେ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ଦେଖାଇଛନ୍ତି। ବ୍ଲକ କାର୍ଯ୍ୟଳୟର ଉଭୟ ପାର୍ଶ୍ବରେ ଲାଗିଥିବା ଫାଟକ ବାହାର ପଟୁ ସେମାନେ ତାଲା ପକାଇଦେବାରୁ ଦୀର୍ଘ ସମୟ ଯାଏ ମନ୍ତ୍ରୀ, ହିତାଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ବ୍ଲକ ଭିତରେ ଫସି ରହିଥିଲେ। ତେବେ ବ୍ଲକ କାର୍ଯ୍ୟାଳୟରେ ଅଳ୍ପ ସଂଖ୍ୟକ ପୁଲିସ ଥିବାରୁ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇ ପାରିନଥିଲେ ।

ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନବୀନ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ଉପଦେଷ୍ଟା କୃତିବାସ ପାତ୍ର ଯୋଗଦେଇଥିଲେ। ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ ସ୍ୱାଗତ ଭାଷଣ ଦେଇଥିଲେ।

ଅନ୍ୟପଟରେ ବିଜେଡି ଯୁବ କର୍ମୀମାନେ ପାଲଟା ଜବାବ ଦେବାକୁ ଯାଇ ବିଜେପି ବିପକ୍ଷରେ ସ୍ଲୋଗାନ ମାନ ଦେଉଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଦୀର୍ଘ ୪ଘଣ୍ଟା ବ୍ଲକରେ ରହିଯିବାରୁ ଆଉ ଅନ୍ୟ କାର୍ଯ୍ୟକ୍ରମ ଗୁଡିକରେ ଯୋଗଦେଇ ପାରିନଥିଲେ। କେସିଙ୍ଗା ଏସଡିପିଓ ଏସ୍‌ ସୁଶ୍ରୀ ଘଟଣାସ୍ଥଲରେ ପହଞ୍ଚି ସ୍ଥିତି ଅନୁଯାୟୀ ପଦକ୍ଷେପ ନେଇଥିଲେ ।ରିପୋର୍ଟ ଲେଖାଯିବା ବେଳକୁ ଅଟକ ୪ଜଣ ବିଜେପି କର୍ମୀ ମ.ରାମପୁର ଥାନାରେ ରଖାଯାଇଛି।

ସମ୍ବନ୍ଧିତ ଖବର