ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଗାଡ଼ି ପାର୍କିଂ କେବେଠାରୁ ହେବ?

ଜୟପୁର: ସହରର ମୁଖ୍ୟରାସ୍ତାରେ ୪ଚକିଆ ଯାନ ଦୀର୍ଘ ସମୟ ଧରି ପାର୍କିଂ ହେବା ଫଳରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ଜୟପୁର ପୌରପ୍ରଶାସନ ପକ୍ଷରୁ ନୂଆ ଯୋଜନା କରାଯାଇଥିଲା। ଚାରି ଚକିଆ ଯାନ ଗୁଡ଼ିକ ସହର ମଧ୍ୟକୁ ଯାଇ କେବଳ ଯାତ୍ରୀ ଓହ୍ଲାଇ ଫେରି ଆସି ଟାଉନହଲ୍ ପାର୍ଶ୍ବ ତଥା ଏବେକାର ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଗାଡ଼ି ପାର୍କିଂ କରି ରଖିବାକୁ ସ୍ଥାନ ନିରୁପଣ ହୋଇଥିଲା। କିଛି ଦିନ ଧରି ପୁଲିସ, ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଏହି ନିର୍ଦେଶନାମାକୁ କାର୍ଯ୍ୟନ୍ବୟନ କରିବା ପାଇଁ ପୁରା ଦମରେ ଲାଗି ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଖାଲି ପଡ଼ିଥିବା ସ୍ଥାନକୁ ଚିତ୍ତବିନୋଦନ କେନ୍ଦ୍ର ସହ କାର ପାର୍କିଂସ୍ଥାନ କରିବାକୁ ଯୋଜନା କରାଯାଇଥିଲା। ଏବଂ ଏହାର ନିର୍ମାଣ ଆରମ୍ଭ ହେବା ପରେ କିଛି ଦିନ ପାଇଁ ଏହି ପରିସରରେ ଗାଡ଼ି ପାର୍କିଂକୁ ସ୍ଥଗିତ କରି ରଖାଯାଇଥିଲା। ଗତ ଜାନୁଆରୀ ୨୫ତାରିଖ ଦିନ ଚିତ୍ତବିନୋଦନ କେନ୍ଦ୍ର ଲୋକାର୍ପିତ ହେବା ପରେ ଏଠାରେ ଗାଡ଼ି ଗୁଡ଼ିକ ଆଣି ପାର୍କିଂ କରିବା କଥା।

Sambad

କିନ୍ତୁ ଏହା ଏବେ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନି। ଅନ୍ୟ ପକ୍ଷରେ ଏବେ ପୁଣି ମୁଖ୍ୟ ରାସ୍ତା ମଝିରେ ଗାଇ, ଗୋରୁ, ବୁଲାକୁକୁରଙ୍କ ସହିତ ଚାରି ଚକିଆ ଓ ଦୁଇ ଚକିଆ ଗାଡି, ଅଟୋ, ସାଇକେଲ, ଉଠା ଦୋକାନୀ ଏବଂ ପରିବା ଦୋକାନୀମାନେ ରାସ୍ତା ଅବରୋଧ କରି ରଖିଥିବାରୁ ଏବେ ପୁଣି ଯଥା ପୂର୍ବଂକୁ ତଥା ପରଂ ଅବସ୍ଥାକୁ ଆସି ଟ୍ରାଫିକ ଜାମ ହେଉଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେଉଁ ଉଦେଶ୍ୟରେ ଚିତ୍ତବିନୋଦନ କେନ୍ଦ୍ର ସହ ଗାଡ଼ି ପାର୍କିଂ ସ୍ଥଳ କରାଯାଇଥିଲା ତାହା କାର୍ଯ୍ୟକାରୀ ହୋଇ ପାରିନି। ଅନ୍ୟ ପକ୍ଷରେ ଏହା ପରିସରରେ ଗାଇ ଗୋରୁ ପସିବେ ଏହି ଭୟରେ ସବୁ ବେଳେ ଗେଟ୍ ପକାଇ ରଖାଯାଉଛି। କେବେ ଏହି ଚିତ୍ତବିନୋଦନ କେନ୍ଦ୍ର ପରିସରର କାର ପାର୍କିଂ ଆରମ୍ଭ ହେବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର