ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରୁ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଂଜ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଙ୍ଗଲ ନିକଟରେ ହାତୀର ଗଳିତ ମୃତଦେହ ପଡ଼ିଥିବା ବନ ବିଭାଗର ଜଗୁଆଳି ମାନେ ଦେଖିଥିଲେ। ଏହା ପରେ ସେମାନେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ସୂଚନା ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ମୃତଦେହକୁ ପୋଷ୍ଟମର୍ଟମ କରିବା ପରେ ପୋତି ଦେଇଛନ୍ତି। ପାଖାପାଖି ୫ ଦିନ ପୂର୍ବରୁ ଦନ୍ତାର ମୃତ୍ୟୁ ହୋଇଥିବା ଏସିଏଫ୍‌ (ସହାୟକ ବନ ସଂରକ୍ଷକ) ରାଜକିଶୋର ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦନ୍ତା ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ଗତ ବର୍ଷ ନଭେମ୍ବର ୨୨ରେ ଏକ ୪/୫ ବର୍ଷର ଏକ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ଅଭୟାରଣ୍ୟର ଝିଲିଣ୍ଡା ରେଂଜ ଅନ୍ତର୍ଗତ କଟରଙ୍ଗ ଜଙ୍ଗଲରୁ ଅଣ୍ଡିରା ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର