ବାଘପାଲି ଜଙ୍ଗଲରେ କଲରାପତରିଆର ମୃତଦେହ ଠାବ, ଶିକାରୀ ନଖ କାଟି ନେଇଥିବା ଅଭିଯୋଗ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଜଙ୍ଗରେ ମଙ୍ଗଳବାର ଏକ କଲରାପତରିଆର ମୃତଦେହ ଠାବ ହୋଇଛି। ଏହାକୁ ଶିକାରିମାନେ ବିଦ୍ୟୁତ ତାର ଲଗାଇ ଶିକାର କରିଥିବା କୁହାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଂଚି କଲପତରିଆରର ମୃତଦେହ ଉଦ୍ଧାର କରିଛି। ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ୩ଦିନ ହେବ କଲରାପତରିଆର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଂଚଳର ଲୋକ କହୁଛନ୍ତି । ଏହି କଲରାପତରିଆଟି ମଝିରେ ମଝିରେ ଜଙ୍ଗଲରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ଗାଁ ଲୋକଙ୍କ ଠାରୁ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି। କଲରାପତରିଆର ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଅନ୍ୟପଟରେ ଏହି ଜଙ୍ଗଲରେ ବନ୍ୟଜନ୍ତୁ ଶିକାରି ସକ୍ରିୟ ଥିବାରୁ ବିଦ୍ୟୁତ ତାର ଲଗାଇ କଲରାପତରିଆକୁ ମାରି ଦିଆଯାଇଥିବା ଅନୁମାନ କରାଯାଉଛି। କଲରାପତରିଆର ଚମଡ଼ା ଓ ନଖ ବିକ୍ରି ଉଦେଶ୍ୟରେ ଏହାକୁ ଶିକାର କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। କଲରାପତରିଆର ନଖ କାଟି ନିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହି କଲରାପତରିଆର ମୃତ୍ୟୁକୁ ନେଇ ବାଘପାଲି ଓ କୋଟସମଳାଇ ଲୋକଙ୍କ ମଧ୍ୟ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କଲରାପତରିଆର ମୃତ୍ୟୁ ପାଇଁ ଗ୍ରାମବାସୀ ବିଦ୍ୟୁତ ଓ ବନ ବିଭାଗକୁ ଦାୟୀ କରୁଛନ୍ତି।

ସମ୍ବନ୍ଧିତ ଖବର