ନୂଆପଡ଼ା: ଜଙ୍ଗଲରୁ ନୀଳଗାଈର ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ବନ ବିଭାଗର କେନ୍ଦୁବାରାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଇଁସାଦରଜା ଗ୍ରାମ୍ୟ ଜଙ୍ଗଲ ଭିତରୁ ଆଜି ଅପରାହ୍ନରେ ଏକ ନୀଳଗାଈ (ପୁରୁଷ)ର ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିବା ପରେ ଖରିଆରରୋଡ ପଶୁଡାକ୍ତର ରାଜେନ୍ଦ୍ର ପଣ୍ଡା, ଆମାନାରାର ଏଲ୍‌ଆଇ ହୀରାଲାଲ ସବର, ତାନୱାଟର ଏଲ୍‌ଆଇ ସରବର ଆଲମ ଖାନ୍ ଓ ନୂଆପଡ଼ା ରେଞ୍ଜର ବିନିତା ଭୋଇ, ଖରିଆର ଡିଭିଜନ ଏସିଏଫ ଜୟରାମ ସବର, ଫରେଷ୍ଟର ଗୋପାଳ ମହାନନ୍ଦ, ଫରେଷ୍ଟ ଗାର୍ଡ଼ ହେମନ୍ତ ଦୁର୍ଗା, ଶ୍ୟାମସୁନ୍ଦର ମାଝୀ ଓ ବୁଦ୍ଧଦେବ ଦଣ୍ଡସେନା ପହଞ୍ଚିଥିଲେ । ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମୃତ ନୀଳଗାଈକୁ ପୋଷ୍ଟମର୍ଟମ କରିବାରୁ ଜଣାପଡ଼ିଥିଲା ଯେ, ଏହା ରୋଗରେ ପୀଡ଼ିତ ଥିଲା ।

ସୂଚନାଯୋଗ୍ୟ, ନୂଆଁପଡ଼ା ଜିଲ୍ଲାରେ ନୀଳଗାଈର ମୃତଦେହ ଉଦ୍ଧାର ହେବା ଏହା ହେଉଛି ପ୍ରଥମ ଘଟଣା । ସମ୍ଭବତଃ ପୂର୍ବରୁ ନୀଳଗାଈ ଉଦ୍ଧାର ହୋଇଥିବା ଜଣାପଡ଼ିନାହିଁ । ଆଜି ନୀଳଗାଈର ମୃତଦେହ ଉଦ୍ଧାର ହେବା ପରେ ସ୍ପଷ୍ଟ ହେଉଛି ଯେ, ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ମଧ୍ୟ ନୀଳଗାଈ ଅଛନ୍ତି ।

ଗତ ମାର୍ଚ୍ଚ ୨୫ ତାରିଖ ଠାରୁ କରୋନା ଭାଇରସ ପାଇଁ ଲକଡାଉନ ଆରମ୍ଭ ହୋଇଛି । କରୋନା ସଂକଟ ନେଇ ସରକାର ଓ ସ୍ଥାନୀୟ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଜଙ୍ଗଲରେ ଥିବା ଜୀବଜନ୍ତୁ ଓ ପଶଶୁପକ୍ଷୀଙ୍କ ପିଇବା ପାଇଁ ଜଳଉତ୍ସର ବ୍ୟବସ୍ଥା ହୋଇପାରି ନାହିଁ । ଏପ୍ରିଲ ଓ ମେ’ ମାସରେ ପ୍ରବଳ ଖରାରେ ସୁନାବେଡା ଅଭୟାରଣ୍ୟରେ ବନ୍ୟଜନ୍ତୁମାନେ ପାଣି ପାଇଁ ଡହଳବିକଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର