ଗଂଜାମ୍‌ ଜିଲ୍ଲାରେ ବଢୁଛି ବନ୍ୟପ୍ରାଣୀ ଶିକାର, କିଆବୁଦାରୁ ୭ଟି ମୃତ ବାର୍‌ହା ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଂଜବିହାର ନିକଟସ୍ଥ ମୋନାର୍କ ସରସ୍ୱତୀ ଶିଶୁ ମନ୍ଦିର ପଛପାଖ ତଥା ମାଣ୍ଡିଆପଲ୍ଲୀ ମୌଜାରେ ଥିବା ଏକ କିଆବୁଦା ମୂଳରୁ ଆଜି ୭ଟି ବାର୍‌ହାଙ୍କ ମୃତଦେହ ଉଦ୍ଧାର ହୋଇଛି। ବାରହାଗୁଡ଼ିକର ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ି ନାହିଁ। ବନ ବିଭାଗର କର୍ମଚାରୀମାନେ ପହଂଚି ମୃତ ବାର୍‌ହା ଗୁଡ଼ିକର ଶବ ଜବତ କରିଛନ୍ତି। କରାପଲ୍ଲୀ ଭେଟନାରୀ ସର୍ଜନ ବାର୍‌ହାଗୁଡ଼ିକର ଶବ ବ୍ୟବଚ୍ଛେଦ କରାଇଛନ୍ତି। ବ୍ୟବଚ୍ଛେଦ ପରେ ବାରହା ଶବ ଗୁଡ଼ିକ ପୋତି ଦିଆଯାଇଛି।

ଗତ କିଛି ବର୍ଷ ହେଲା ଗଂଜମ ଜିଲ୍ଲାରେ ବାରହା ଉପଦ୍ରବ ବଢ଼ିଛି। ଜଙ୍ଗଲରୁ ବାର୍‌ହାମାନେ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଏପରିକି ମଣିଷ ଓ ବାର୍‌ହା ମଧ୍ୟରେ ଏକ ଅଘୋଷିତ ଯୁଦ୍ଧ ଚାଲିଛି। ଦିନିକୁ ଦିନ ବାର୍‌ହା ଶିକାର ମଧ୍ୟ ବୃଦ୍ଧି ପାଉଛି। ଏହି ବାର୍‌ହା ଗୁଡ଼ିକୁ କୌଣସି ବ୍ୟକ୍ତି ବିଷ ଦେଇ ମାରିଥିବା ଅନୁମାନ କରାଯାଉଛି। କିଆବୁଦା ତଳେ ଆହୁରି ଏକାଧିକ ବାର୍‌ହା ଶବ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ବିଷ ଦେଇ ଏବଂ ବିଦ୍ୟୁତ ତାରରେ ବାର୍‌ହା ଶିକାର କରାଯାଉଛି। ବାର୍‌ହା ଆକ୍ରମଣ ଯୋଗୁଁ ଗତ ୨ ମାସ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବନ ବିଭାଗ ମଧ୍ୟ ୧୦ ଜଣ ଶିକାରୀଙ୍କୁ ଗିରଫ କରିଛି। ଦିନକ ମଧ୍ୟରେ ୭ଟି ବାର୍‌ହା ମୃତ୍ୟୁ ହେବା ନେଇ ପରିବେଶବିଦ୍‌ମାନଙ୍କୁ ମର୍ମାହନ୍ତ କରିଛି। ତେବେ ବନ୍ୟ ପ୍ରାଣୀ ସପ୍ତାହ ପାଳନର ଏକ ସପ୍ତାହ ବିତି ନଥିବାବେଳେ ଏତେ ସଂଖ୍ୟକ ବନ୍ୟପ୍ରାଣୀଙ୍କ ମୃତଦେହ ମିଳିଥିବାରୁ ପରିବେଶ ପ୍ରେମୀମାନଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର