ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋଲ୍‌ କେମିକାଲ ବିଭାଗ (ସିସିଡି)ର ଗ୍ୟାସ୍‌ ଲିକ୍‌ରୁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କାରଖାନା ବାଷ୍ପିତ ନିର୍ଦ୍ଦେଶାଳୟ (ଫ୍ୟାକ୍ଟ୍ରି ଆଣ୍ଡ ବଏଲର)। କାର୍ଯ୍ୟାଳୟର ଅବହେଳା ପାଇଁ ରାଉରକେଲା ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍‌ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ମିଶ୍ର ଆର୍‌ଏସ୍‌ପିର ଦୁଇ ଅଧିକାରୀଙ୍କ ବିରୋଧରେ ରାଉରକେଲା ଜେଏମ୍ଏଫ୍‌ସି (ରୁରାଲ) କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆର୍‌ଏସ୍‌ପିର ଦୁଇ ବରିଷ୍ଠ ଅଧିକାରୀ ହେଲେ ନି‌ର୍ବାହୀ ନିର୍ଦ୍ଦେଶକ (କାର୍ମିକ) ପଙ୍କଜ କୁମାର, ଜିଏମ୍‌ ଇନ୍‌ଚାର୍ଜ କମଳାକାନ୍ତ ପାତ୍ର। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ୧୯୫୦ର ଧାରା ୪୧ ଅନୁଯାୟୀ ଦୁଇ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କୋର୍ଟ ମାମଲାର ବିଚାର କରି ଦୁଇ ଅଧିକାରୀଙ୍କ ବିରୋଧରେ ରାୟ ଶୁଣାଇବେ।

Advertisment

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୬ରେ ଆର୍‌ଏସ୍‌ପି ସିସିଡି ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ବିଷାକ୍ତ କାର୍ବୋନ୍‌ ମନୋସ୍କାଇଡ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଗ୍ୟାସ୍‌ ସଂସ୍ପର୍ଶରେ ଆସି ୪ ଠିକା ଶ୍ରମିକଙ୍କର ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଠିକା ସଂସ୍ଥାର ସୁପରଭାଇଜର ସେକ୍ଟର-୧, ଏଚ୍‌-୭୯ର ବ୍ରହ୍ମାନନ୍ଦ ପଣ୍ଡା (୫୧), ଲାଠିକଟା ଥାନା କୁଲାମୁଣ୍ଡାର ଅଭିମନ୍ୟୁ ସା (୩୩), ଟାଙ୍ଗରପାଲି କନଷ୍ଟ୍ରକ୍ସନ କଲୋନିର ରବିନ୍ଦ୍ର ସାହୁ (୫୯) ଓ ଗଣେଶ ଚାନ୍ଦ ପହିଲ୍‌ (୫୫)। ମୃତ ଶ୍ରମିକମାନେ ରାଉରକେଲାର ଏକ ଘରୋଇ ଠିକା ସଂସ୍ଥା ‘ଷ୍ଟ୍ରାର କନ୍‌ଷ୍ଟ୍ରକ୍ସନ’ଅଧୀନରେ କାମ କରୁଥିଲେ। ଆର୍‌ଏସ୍‌ପି ସୁରକ୍ଷା ବ୍ୟବସ୍ଥା ଥିବା ତ୍ରୁଟି ଓ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଇଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ ପାଇଁ ସେଲ୍‌ କର୍ପୋରେଟ୍‌ ଅଫିସ୍‌, ଆର୍‌ଏସ୍‌ପି ସିଇଓ ଦୀପକ ଚଟ୍ଟରାଜଙ୍କ ‌ନିର୍ଦ୍ଦେଶରେ ଦୁଇଟି ପୃଥକ ପୃଥକ ତଦନ୍ତ କମିଟି ଗଠନ ହୋଇଥିଲା। ଦୁଇ ତଦନ୍ତ କମିଟି ଘଟଣାର ପୁ୍ଙ୍ଖାନୁପୁଙ୍ଖ ତଦନ୍ତ କରି ପୃଥକ ପୃଥକ ରିପୋର୍ଟ ଦେଇଥିଲେ। କାର୍ଯ୍ୟର ଅବହେଳା ପାଇଁ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା।