ଉମରକୋଟ ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନାମରେ ମାମଲା ରୁଜୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ  ତାଲାପଦରରେ ଗତକାଲି ବିଜୁ ସେତୁ ଭୁଶୁଡି ଜଣେ କର୍ମଚାରୀର ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଉନ୍ନୟନ କମିସିନର ପ୍ରଦୀପ କୁମାର ଜେନାଙ୍କ ନିର୍ଦ୍ଦେଶ ପରେ ଗତ କାଲି ରାତିରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ ଉମରକୋଟ ଥାନାରେ ଏତଲା ଦାୟର କରିଥିଲେ । ଉମରକୋଟ ଥାନାରେ କେସ ନଂ ୧୨/୨୧ ରେ ଠିକାଦାର ଆଶିଷ କୁମାର ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ଅସିତ ପାତ୍ର ଓ ସହକାରୀ ଯନ୍ତ୍ରୀ ନିରଂଜନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏହି ୩ ଜଣ ଫେରାର ଥିବା ଜଣାପଡିଛି ।

ଗତ କାଲି  ରାତିରେ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଘଟଣା ସ୍ଥଳକୁ ପରିଦର୍ଶନ କରିଥିବା ବେଳେ ଆଜି ସୁନାବେଡା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପି.କେ.ଜେନା ଘଟଣା ସ୍ଥଳକୁ ପରିଦର୍ଶନ କରି ଫେରିଛନ୍ତି । ତେବେ ପ୍ରା‌ଥମିକ ତଦନ୍ତରୁ ସେଣ୍ଟ୍ରିଂର ବିଫଳତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସେ କହିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ସର୍ବୋଚ୍ଚ ଯନ୍ତ୍ରୀ ଘଟଣା ସ୍ଥଳକୁ ପରିଦର୍ଶନରେ ଯିବେ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର