ଗୁରୁଜଙ୍ଗ ଗୋଚର ଜମିରେ ଖେଳ ପଡ଼ିଆକୁ ବିରୋଧ: ଉଚ୍ଚନ୍ୟାୟାଳୟରେ ମାମଲା

ଆବେଦନକାରୀଙ୍କ ଆପତ୍ତି ସମ୍ପର୍କରେ ବିଚାର କରିବାକୁ ସରକାର ଓ ପ୍ରଶାସନକୁ ନିର୍ଦେଶ

ଖୋର୍ଦ୍ଧା: ଦିନକୁ ଦିନ ଗୋବଂଶ, ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଜମି ହ୍ରାସ ପାଉଛି। ବର୍ତ୍ତମାନ ଖୋର୍ଦ୍ଧା ପୌର ପରିଷଦ ବେଆଇନ ଭାବେ ଗୁରୁଜଙ୍ଗର ପୁରାତନ ଗୋଚର ଜମିକୁ ଖେଳପଡ଼ିଆ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ବିରୋଧରେ ଗୁରୁଜଙ୍ଗର ଦୁଇଜଣ ବାସିନ୍ଦା ରାଜ୍ୟ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଆବେଦନର ବିଚାର କରି ଦେଢ଼ ମାସ ମଧ୍ୟରେ ଆବେଦନକାରୀଙ୍କ ପ୍ରତିବାଦ ବିଚାର କରି ପଦକ୍ଷେପ ନେବାକୁ ରାଜ୍ୟ ରାଜସ୍ୱ ବିଭାଗ, ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଗୁରୁଜଙ୍ଗ ନିବାସୀ କୃଷ୍ଣଚନ୍ଦ୍ର ସାହୁ ଓ ଜିତୁ କୁମାର ଦାସ ହାଇକୋର୍ଟରେ ଓପିଏଲ୍ଇ ଆଇନ, ସମ୍ବିଧାନର ଧାରା ୨୨୬ ଓ ୨୨୭ ଏବଂ ଆଇନାନୁମୋଦିତ ବ୍ୟବସ୍ଥାର ଖିଲାପ କରି ଗୋଚର ଜମିରେ ଖେଳପଡ଼ିଆ ନିର୍ମାଣ କରାଯାଉଥିବା ନେଇ ହାଇକୋର୍ଟରେ ଆବେଦନ କରିଥିଲେ।

ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରିଟ୍ ପିଟସନ ସଂଖ୍ୟା ୫୨୩୭/୨୦୨୨ରେ ଶୁଣାଣି କରିଥିଲେ। ଚଳିତ ମାସ ୯ ତାରିଖରେ ମାମଲାର ବିଚାର କରି ନିର୍ଦେଶ ଦେଇଛନ୍ତି। ନିର୍ଦେଶରେ ପ୍ରତିପକ୍ଷ ରାଜ୍ୟ ରାଜସ୍ୱ ସଚିବ, ଜିଲ୍ଲାପାଳ, ତହସିଲଦାର ଓ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଆବେଦନକାରୀଙ୍କ ପ୍ରତିବାଦ ସମ୍ପର୍କରେ ବିଚାର କରି ପଦକ୍ଷେପ ନେବାକୁ କହିଛନ୍ତି। ଆବେଦନର ବିଚାର କରି ଉଚ୍ଚନ୍ୟାୟାଳୟର ବିଚାରପତି ବିଶ୍ୱନାଥ ରଥ  କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆବେଦନକାରୀଙ୍କ ଆବେଦନ ଗ୍ରହଣଯୋଗ୍ୟ ନୁହେଁ। କିନ୍ତୁ ଦେଇଥିବା ତଥ୍ୟ ଆଧାରକୁ ବିଚାର କରି ପ୍ରତିପକ୍ଷଙ୍କୁ ଆବେଦନକାରୀଙ୍କ ଆପତ୍ତି ଓ ଅଭିଯୋଗର ବିଚାର ନିର୍ଦ୍ଧାରିତ ସମୟ ମଧ୍ୟରେ ବିଚାର କରିବାକୁ ପ୍ରତିପକ୍ଷ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର