ମହିଳାଙ୍କୁ ଦୁଷ୍କର୍ମ  ଓ ହତ୍ୟା ମାମଲା: ଅଭିଯୁକ୍ତ ନିର୍ଦ୍ଦୋଷ

ଜୟପୁର: ବୈପାରୀଗୁଡାଥାନା ଅଂଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭଗବାନ ଶ୍ରୀଗ୍ରାମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨୦୨୦ମସିହା ଜୁଲାଇ ୪ତାରିଖ ଦିନ ବୈପାରୀଗୁଡା ଥାନା ଅର୍ନ୍ତଗତ ରାମପୁଟମାଳିଗୁଡା ଗାଁ ନିକଟରେ ଥିବା ସ୍କୁଲର ଝରକାରେ ଚମ୍ପା ହରିଜନ ନାମକ ଜୈନେକା ମହିଳାଙ୍କ ବେକରେ ଗାମୁଛା ବନ୍ଧା ଅବସ୍ଥାରେ ମୃତ ଦେହ ଓହଳି ରହିଥିଲା। ଏ ନେଇ ଗ୍ରାମବାସୀ ମାନେ ବୈପାରୀଗୁଡା ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରି ସନ୍ତେଇପୁଟ ଗାଁରୁ ଅଭିଯୁକ୍ତ ଭଗବାନ ଶ୍ରୀଗ୍ରାମଙ୍କୁ ଥାନାକୁ ନେଇଥିଲେ। ଥାନାରେ ପଚାରାଉଚାରା ବେଳେ ଭଗବାନ ହିଁ ଚମ୍ପାକୁ ହତ୍ୟା କରିଥିବା ସଂପର୍କରେ ସ୍ବୀକାର କରିଥିଲେ। ଚମ୍ପା ହାଟକୁ ହାଟ ବୁଲି ବ୍ୟବସାୟ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଘଟଣା ଦିନ ଚମ୍ପାକୁ ମାତିଲି ହାଟକୁ ନେବା ପାଇଁ ବାଇକରେ ବସାଇ ଅଭିଯୁକ୍ତ ଭଗବାନ ନେଇକି ଯାଇଥିଲା।

ସେ ସମୟରେ କରୋନା ସଂକ୍ରମଣ ପାଇଁ ବିଦ୍ୟାଳୟ ବନ୍ଦ ରହିଥିଲା। ବିଦ୍ୟାଳୟ ଶୁନଶାନ୍ ଥିବାରୁ ସେଠାକୁ ନେଇ ଚମ୍ପାର ଇଛାବିରୋଧରେ ତାକୁ ଭଗବାନ ଦୁଷ୍କର୍ମ କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମୃତ ଚମ୍ପା ବିବାହ କରିବାକୁ ଜିଦ୍ ଧରିବାରୁ ଭଗବାନ ଗାମୁଛା ବେକରେ ଗୁଡ଼ାଇ ହତ୍ୟା କରିଦେଇଥିଲେ। ତା ପରେ ସେହି ଗାମୁଛାରେ ସ୍କୁଲ ଝରକାରେ ତାଙ୍କ ମରଶରୀରକୁ ଟାଙ୍ଗି ଦେଇ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ତତ୍କାଳୀନ ଡିଏସପି ତଥା ଭାରପ୍ରାପ୍ତ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ବିବେଦୀ ଘଟଣାର ତଦନ୍ତ କରି ଅଭିଯୁକ୍ତବିରୋଧରେ ଦଫା ୩୦୨/୩୭୬ରେ ମାମଲା ରୁଜୁ କରି କୋର୍ଟକୁ ଚାଳାଣ କରିଥିଲେ।   ମାମଲା କୋର୍ଟରେ ବିଚାରଚାଳିଥିବା ସମୟରେ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଛି। ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପିଣ୍ଟୁ ମାଝୀ, ଆରକେ ପାତ୍ର ଓ ସହଯୋଗୀ ମାନେ  ପରିଚାଳନା କରୁଥିଲେ।

 

ସମ୍ବନ୍ଧିତ ଖବର