ବୈପାରିଗୁଡା: ବୈପାରିଗୁଡା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଆଜି ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କର କ୍ୟାସିୟର ଆର୍. ସନ୍ତୋଷ କୁମାର ଦୋରାକୁ ବୈପାରିଗୁଡା ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଘଟଣା ଅନୁଯାୟୀ ଗତ ୨୦ ତାରିଖ ଦିନ ସନ୍ଧ୍ୟାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖା ପରିଚାଳକ ପ୍ରବୀର୍ କୁମାର ପ୍ରଧାନ ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ବ୍ୟାଙ୍କରେ ଜମା ଟଙ୍କା ହିସାବ କରୁଥିବାବେଳେ ଦେଖିବାକୁ ପାଇଲେ ବ୍ୟାଙ୍କର ଜମା ରାଶି ଏବଂ ଏଟିଏମର ଟଙ୍କା ତଥା ବ୍ୟାଙ୍କରେ ରହିଥିବା ଟଙ୍କା ହିସାବ କରିବା ବେଳେ ୮୦ ଲକ୍ଷ ଟଙ୍କାର ତାରତମ୍ୟ ରହିଥିଲା।

Advertisment

ଅଭିଯୋଗକୁ ଆଧାର କରି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଏବଂ ବୈପାରିଗୁଡା ଥାନା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ କ୍ୟାସିୟର ଆର୍. ସନ୍ତୋଷ କୁମାର ଦୋରା ହିଁ ୮୦ ଲକ୍ଷ ଟଙ୍କାର ହେରଫେର କରିଛି।

ଅଭିଯୁକ୍ତ କ୍ୟାସିୟର ନିଜେ ଦୋଷ ସ୍ବୀକାର କରିଛନ୍ତି ଯେ, ସେ ଆଜିକୁ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଭଳି କାର୍ଯ୍ୟରେ ନିବୃତ ଥିଲେ ଏବଂ ତାଙ୍କ ପାଖରେ ହିଁ ଏଟିଏମ୍ ଓ ଟଙ୍କା ଆଲମିରା ତାଲା ଚାବି ରହୁଥିଲା | ସେ ସେସବୁ ଟଙ୍କାକୁ କ୍ରିକେଟ ଖେଳରେ ବାଜି ଲଗାଉଥିଲା, କେସିନୋ କ୍ଲବରେ ଜୁଆ ଖେଳିବା ସହ ଅନ୍ ଲାଇନ୍ ଗେମ୍ ଖେଳରେ ଟଙ୍କା ଲଗାଇଥିବା ସ୍ବୀକାର କରିଛି। ପୁଲିସ ସନ୍ଦେହ କରୁଛି ଯେ ଏହି ଟଙ୍କା ହଡ଼ପରେ ଆଉ କିଛି ଲୋକଙ୍କ ହାତ ଥାଇପାରେ ଏବଂ ତଦନ୍ତ ଜାରି ରହିଛି |