‘ଆଇ ଆମ କମିଙ୍ଗ ସୁନ, ଧରି ପାରିଲେ ଧର’; ଏଭଳି ଲେଖି ଧୁମ ଷ୍ଟାଇଲରେ କମ୍ପ୍ୟୁଟର ସାମଗ୍ରୀ ଚୋରି କଲେ ଚୋର

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ଧୂମ ଷ୍ଟାଇଲରେ ଚୋରି କରି ବ୍ଳାକବୋର୍ଡରେ ଧୁମ ୪ ,ଆମେ ପୁଣି ଆସିବୁ , ସ୍କୁଲ ପିଲା ଧରିପାରିଲେ ଧର, କମିଂ ସୁନ ଭଳି ଅନେକ କଥା ଲେଖି ଏକ ପ୍ରକାର ଚାଲେଞ୍ଜ ଦେଇଛନ୍ତି। ବାସ୍ତବରେ ଏହା ସ୍କୁଲ ପିଲା ଚୋରି କରିଛନ୍ତି ନା ଅନ୍ୟ କୌଣସି ଚୋର ନିଜେ ଚୋରି କରି ସ୍କୁଲ ପିଲାଙ୍କ ଉପରେ ଦୋଷ ଲଦିବାକୁ ବ୍ଲାକ ବୋର୍ଡରେ ଏଭଳି ଲେଖି ପୁଲିସକୁ ଦ୍ୱନ୍ଦ୍ୱରେ ପକେଇବାକୁ ଉଦ୍ୟମ କରିଛି ତାହା ତଦନ୍ତ ସାପେକ୍ଷ। ଶୁକ୍ରାରବାରତିରେ ବିଦ୍ୟାଳୟ ମୁଖ୍ୟ ଫାଟକ ଚାବି ଭାଙ୍ଗିବା ପରେ ପ୍ରଧାନ ଶିକ୍ଷକଙ୍କ କକ୍ଷର ଦୁଇଟି ଚାବିକୁ ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍ ଜେରକ୍ସ ମେସିନ, ଓଜନ ମାପକ ଜନ୍ତ୍ର ଏବଂ ସାଉଣ୍ଡ ବକ୍ସ ସମେତ ମେସିନ କାଢି ନେଇଯାଇଥିବା ଅଭିଯୋଗ ହୋଇଛି ।

ବିଦ୍ୟାଳୟ ପ୍ରତି ସରକାର ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିବା ପରେ  ଏହାର ପ୍ରଭାବରେ ପିଲାଙ୍କ ଦୁଷ୍ଟାମି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଦ୍ୟାଳୟ କଳାପଟାରେ ଚୋର ଆମେ ଏହି ବିଦ୍ୟାଳୟ ପିଲା ବୋଲି ଉଲ୍ଲେଖ କରିଥିବା ବେଳେ ଏନେଇ ସନ୍ଦେହ ଦେଖାଦେଇଛି। ପୂର୍ବରୁ ନନ୍ଦାହାଣ୍ଡି ବ୍ଲକ ଦହଣା ବିଦ୍ୟାଳୟରେ କମ୍ପ୍ୟୁଟର ଚୋରି ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଚୋରି ହୋଇଥିଲା । ତେବେ ଚୋରଙ୍କ ଫୋକସ ସରକାରୀ କାର୍ଯ୍ୟାଳୟର କମ୍ପ୍ୟୁଟର ଉପରେ ରହୁଛି । ଉଭୟ ଥାନା ଏବଂ ବିଦ୍ୟାଳୟ ଦଣ୍ଡ ମୁକ୍ତ ଅଞ୍ଚଳ ଭାବରେ ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବାରୁ ଚୋରଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । ତେଣୁ ସରକାରୀ କାର୍ଯ୍ୟାଳୟର ସୁରକ୍ଷାକୁ ବଢା ଯିବାର ଆବଶ୍ୟକତା ରହିଛି ।

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ପ୍ରକଳ୍ପ ଅଧୀନରେ ରହିଛି । ଏହି ଚୋରି ପାଇଁ ପରୋକ୍ଷରେ ପ୍ରକଳ୍ପ ପ୍ରଶାସନକୁ ମଧ୍ୟ ଦାୟୀ କରାଯାଇପାରେ । ଡ୍ୟାମ ତଥା ପ୍ରକଳ୍ପ କାର୍ଯ୍ୟାଳୟ ଗୁଡିକର ସୁରକ୍ଷା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ସମ୍ପୃକ୍ତ ସଂସ୍ଥା ସୁରକ୍ଷା କର୍ମୀଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରୁନଥିବା ଅଭିଯୋଗ ପୂର୍ବରୁ ରହିଆସିଛି । ଏନେଇ ସଂସ୍ଥା କର୍ମଚାରୀଙ୍କୁ ପଚାରିଲେ ୧୪୭ ଜଣ ସୁରକ୍ଷା କର୍ମୀଙ୍କ ପାଇଁ ଚୁକ୍ତି ହୋଇଥିବା ବେଳେ ପୂର୍ବରୁ ଚୁକ୍ତି କରିଥିବା ସଂସ୍ଥା ଚୁକ୍ତିଠାରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦେଇଥିବାରୁ ଏହିଭଳି ଅସୁବିଧା ଦେଖାଦେଉଥିବା କହିଥିଲେ । ଯଦି ଅଧିକ ସୁରକ୍ଷା କର୍ମୀ ଅଛନ୍ତି ତେବେ ସେମାନଙ୍କ ମଧ୍ୟରୁ କାହାକୁ କାହିଁକି ବିଦ୍ୟାଳୟ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରାଯାଇନାହିଁ । ବିଦ୍ୟାଳୟ ଦାୟିତ୍ଵରେ ଥିବା ପ୍ରଶାସନିକ ଅଧିକାରୀ ସୁରକ୍ଷାକର୍ମୀ ନିୟୋଜନ କରିବା ପାଇଁ କେବେ ପତ୍ର କରିଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ଏନେଇ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଉଚ୍ଚ ବିଦ୍ୟାଳୟ ପରିଚାଳନା ଦାୟିତ୍ଵରେ ଥିବା ପ୍ରସନ୍ନ ବିଷୋଇଙ୍କୁ ପଚାରିବାରୁ ସୁରକ୍ଷା ବିଭାଗ ତାଙ୍କ ଅଧୀନରେ ନଥିବା କହିଛନ୍ତି । କଳାପଟା ମାଧ୍ୟମରେ ଚୋର ପୁଣି ଆସିବା ନେଇ ସଙ୍କେତ ଦେଇଥିବା ବେଳେ ବିଦ୍ୟାଳୟ ସୁରକ୍ଷା ବୃଦ୍ଧି କରାଯାଉଛି ନା ଚୋରଙ୍କୁ ପୁଣି ଚୋରୀ ପାଇଁ ପ୍ରଶ୍ରୟ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା । ଏନେଇ ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବେହେରା ଖାତିଗୁଡା ଥାନାରେ ଖବର ଦେବା ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଚୋରି ପରେ ଚୋର କଳାପଟାରେ ଧୂମ ୪ ବୋଲି ଲେଖିଥିବାରୁ ଏହାକୁ ଫିଲ୍ମର କୁପ୍ରଭାବ ବୋଲି ମଧ୍ୟ କୁହାଯାଇପାରେ ।

ସମ୍ବନ୍ଧିତ ଖବର