ଆନନ୍ଦପୁର: ଆନନ୍ଦପୁରରୁ ନିୟମିତ ଭାବେ ବିଭିନ୍ନ ସ୍ଥାନକୁ ଗୋରୁ ଚାଲାଣ ହେଉଛି। ଆଜି ଭୋର ସମୟରେ ଅତି ଦୟନୀୟ ଅବସ୍ଥାରେ ଏକ ମିନିଟ୍ରକ୍‌ରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେଉଥିବା ସମୟରେ ବଜରଙ୍ଗ ଦଳର କର୍ମୀମାନେ ଆନନ୍ଦପୁର ବ୍ୟାରେଜ୍‌ ନିକଟ ରାସ୍ତାରେ ଗାଡ଼ି ଅଟକାଇ ଗୋରୁ ଗୁଡ଼ିକୁ ଉଦ୍ଧାର କରିଛନ୍ତି। ଗାଡ଼ି ଡ୍ରାଇଭର, ସହଯୋଗୀ ଏବଂ ଗୋରୁ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଏକ ବୋଲେରୋରେ ଆସିଥିବା ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି।

Advertisment

ଗୋରୁ ଚାଲାଣ ସମ୍ପର୍କ‌ରେ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଜିଲ୍ଲା ସଂଯୋଜକ ଚନ୍ଦନ ମହାରଣା, ଗୋରକ୍ଷା ପ୍ରମୁଖ ଦୀପକ କୁମାର ସାହୁଙ୍କ ନେତୃତ୍ବରେ ଏକାଠି ହୋଇ ଗୋରୁ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରେ ୨୫ଟି ଗୋରୁ ବୋଝେଇ ହୋଇଥିଲେ। ଶ୍ବାସରୁଦ୍ଧ ହୋଇ ୩ଟି ଗୋରୁ ପ୍ରାଣ ହରାଇଥିବା ବେଳେ ୨୨ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ଗୋରୁ ଗୁଡ଼ିକୁ ଖାଦ୍ୟ ଦିଆଯିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଚିକିତ୍ସା କରାଯାଇଛି। ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ଆସନ୍ତକାଲି ଗୋରୁ ଗୁଡ଼ିକୁ କଟକ ଗୋଶାଳାକୁ ସ୍ଥାନାନ୍ତର କରାଯିବ ବୋଲି ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ପ୍ରକାଶ କରିଛନ୍ତି।