ରାଉରକେଲା: କଫ୍‌ସିରଫ ଚୋରାଚାଲାଣ ରାକେଟ୍‌ର ଦୁଇ ବେପାରୀକୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌। ଗିରଫ ଦୁଇ ବେପାରୀ ହେଲେ ସମ୍ବଲପୁର କ୍ଷେତ୍ରରାଜପୁର ଚନ୍ଦନନଗରର ତାପସ ବାଗ (୨୨) ଓ ସେକ୍ଟର-୧୬ ସି/୧୩୮ର ନିଖିଳ ମହାନନ୍ଦ(୨୪)। ଏମାନଙ୍କ ନିକଟରୁ ୩୫୦ ବୋତଲ କଫ୍‌ସିରଫ୍‌ ଜବତ ହୋଇଛି। ଗିରଫ ଦୁଇ ବେପାରୀ କଫ୍‌ସିରଫ୍‌ ବେପାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଜି ଦୁହେଁ କୋଲକାତାରୁ ୩୫୦ କଫ୍‌ସିରଫ୍‌ କିଣି ଟ୍ରେନ୍‌ ଯୋଗେ ରାଉରକେଲା ଆସୁଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା।

Advertisment

ସୂଚନା ଆଧାରରେ ଏସ୍‌ଆଇ ଅଜୟ ପ୍ରଧାନ, ସପନ କୁମାର ସାହୁଙ୍କ ନେତୃତ୍ବରେ ଗଠିତ୍‌ ଟିମ୍‌ ରେଳବାଇ କଲୋନି ପାର୍ଶ୍ବ ଦ୍ବିତୀୟ ପ୍ରବେଶ ପଥରେ ଦୁହିଁଙ୍କୁ ଜଗି ରହିଥିଲେ। ଦୁହେଁ ଟ୍ରେନ୍‌ରୁ ଓହ୍ଲାଇବା ପରେ ଦ୍ବିତୀୟ ଗେଟ୍‌ ଦେଇ ରାଉରକେଲା ଯାଉଥିବାବେଳେ ଅବକାରୀ ଟିମ୍‌ ଦୁହିଁଙ୍କୁ ଗିରଫ କରିବା ସହ ୩୫୦ ବୋତଲ୍‌ କଫ୍‌ସିରଫ୍‌ ଜବତ କରିଥିଲା। କଫ୍‌ସିରଫ୍‌ ଦୁଇ ବେପାରୀଙ୍କ ସହ ଅନ୍ୟ କେଉଁମାନେ ଅଛନ୍ତି ? କୋଲକାତା ସମେତ ଅନ୍ୟ କେଉଁ କେଉଁ ସହରରୁ କଫ୍‌ସିରଫ୍‌ କିଣୁଥିଲେ ? ରାଉରକେଲା ସମେତ ପଶ୍ଚିମ ଓଡ଼ିଶା ଅନ୍ୟ କେଉଁ ସହରକୁ ଯୋଗାଣ କରୁଥିଲେ ? ଅବକାରୀ ପୁଲିସ ତା’ର ତଦନ୍ତ ଚଳାଇଛି।