ରାଉରକେଲା: ହକି ବିଶ୍ବକପ୍ ବିକାଶ ନାଁରେ ବ୍ୟାପକ ହରିଲୁଟ୍ ହୋଇଛି। ନିକଟରେ ହକି ଷ୍ଟାଚ୍ୟୁ ଭାଙ୍ଗିପଡ଼ିବା ଘଟଣା ରାଉରକେଲାର ପ୍ରତ୍ୟେକ କାମର ମାନ ପଦାରେ ପକାଇ ଦେଇଛି। ସହରକୁ ଚକାଚକ୍ କରିବା ନାଁରେ ପାଣି ବୋହିଲା ପରି ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ସିବିଆଇ ତଦନ୍ତ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚ। ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମାଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଫିସ୍ ଘେରିଥିଲେ। ବରିଷ୍ଠ ନେତା ନିହାର ରାୟଙ୍କ ଉପସ୍ଥିତିରେ କର୍ମୀମାନେ ରାଜ୍ୟ ସରକାର ବିରୋଧୀ ନାରା ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ହକି ଷ୍ଟାଚ୍ୟୁ ଭାଙ୍ଗି ପଡ଼ିବା ଦ୍ବାରା ନିର୍ମାଣ ହୋଇଥିବା ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କାରେ ହକି ଷ୍ଟାଡିୟମର ସ୍ଥାୟୀତ୍ବ ନେଇ ମଧ୍ୟ ଭୟ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ ଓ ବିକାଶ ନାମରେ ଜିଲ୍ଲା ଖଣିଜ ପାଣ୍ଠି ଓ ସ୍ମାର୍ଟସିଟିର ଶହ ଶହ କୋଟି ଟଙ୍କାକୁ ତରବର ଭାବେ ନିମ୍ନମାନର କାମ କରି ସାରି ଦିଆଯାଇଛି।
ବିକାଶ ନାଁରେ ଶାସକ ଦଳର ନେତା, ସରକାରୀ ବାବୁ ଓ ଠିକାଦାର ଲୋକଙ୍କ ଆଖିରେ ଧୂଳିଦେଇ ହରିଲୁଟ୍ କରିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଥିଲେ, ରାସ୍ତା ନିର୍ମାଣ ପାଇଁ ୧୧ କୋଟି ଟଙ୍କାର ବଜେଟ୍କୁ ୨୩ କୋଟି କରାଯାଇଛି। ତଥାପି ସମସ୍ୟାର ସମାଧାନ ହୋଇନି। ଏମିତି କାମ ହୋଇଛି ଯେ ନୂଆ ଭାବେ ନିର୍ମାଣ କରା ଯାଇଥିବା ରାସ୍ତା ମଝିରେ ପାଣି ଜମି ରହୁଛି। ଚାରାରୋପଣ ବାବଦରେ ପ୍ରାୟ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ମୂଲ୍ୟବାନ ଚାରାଗୁଡ଼ିକ କେଉଁଠି ଉଭାନ ହୋଇଗଲାଣି ତ ଅନ୍ୟ କେଉଁଠି ମରିବା ଅବସ୍ଥାରେ। ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ଚମକ ଧୀରେ ଧୀରେ ମଉଳି ଗଲାଣି। ୧୧ କୋଟିରୁ ଅଧିକ ଟଙ୍କାରେ ଡିଏଭି ୱାଟର ପାର୍କ ମଧ୍ୟ ସୌନ୍ଦର୍ଯ୍ୟ ହରାଇଲାଣି। ରାସ୍ତା ସାରା ବିଛାଯାଇଥିବା କୋଟି କୋଟି ଟଙ୍କାର ଫେବର ବ୍ଲକରେ ବି ସେହି ସମାନ ସ୍ଥିତି। ସବୁଠାରେ କାମ ଠିକ୍ ହୋଇ ନାହିଁ, ଯାହା ହୋଇଛି, ତାହା ଅତି ନିମ୍ନମାନର ବୋଲି ବିଜେପି ପକ୍ଷରୁ ଶ୍ରୀ ରାୟ କହିଛନ୍ତି।
ସିବିଆଇ ତଦନ୍ତ କରି ଦୋଷୀଙ୍କୁ ଧରିବାକୁ ଯୁବକର୍ମୀମାନେ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରତିବାଦରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଜଗବନ୍ଧୁ ବେହେରା, ଦିଲୀପ ଦାସ, ଭଗବାନ ରାଉତ, ପ୍ରବାଳ ବାରିକ୍, ଭଗବାନ ମହାପାତ୍ର, ବିନ୍ଦର ସିଂହ, ଆଇରାଜା ରମେଶ, ରାଜୁ ସିଂ, ବାବୁ ବିଶ୍ବାଳ, ଅମୀୟ ଦାସ, ରାଜା ପଟ୍ଟନାୟକ, ନୂତନ ଦୀପ, ପ୍ରମୋଦିନୀ ମଲ୍ଲିକ ଓ ତାପସ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।