ଚଢାଉବେଳେ ସିବିଆଇ ଅଧିକାରୀଙ୍କୁ ପାଲଟା ଆକ୍ରମଣ କଲେ ଅଭିଯୁକ୍ତଙ୍କ ପରିବାର

ଢେଙ୍କାନାଳ: ଢେଙ୍କାନାଳରେ ସିବିଆଇ ଅଧିକାରୀଙ୍କୁ ଠେଙ୍ଗା ବାଡି ଧରି ଆକ୍ରମଣ କରିଛନ୍ତି ଅଭିଯୁକ୍ତଙ୍କ ପରିବାର । ଅବଶ୍ୟ ପୁଲିସ ଅଧିକାରୀଙ୍କ ପାଇଁ ସେମାନେ ବର୍ତ୍ତି ଯାଇଛନ୍ତି । ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗରେ ଓଡିଶାର ୩ଟି ଜିଲ୍ଲା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସିବିଆଇ ଅଧିକାରୀମାନେ ଯାଞ୍ଚ କରିଛନ୍ତି । ଢେଙ୍କାନାଳରେ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସାଥିରେ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିିଛି ।

ଚଢାଉବେଳେ ସିବିଆଇ ଅଧିକାରୀଙ୍କୁ ପାଲଟା ଆକ୍ରମଣ । ସିବିଆଇ ଅଧିକାରୀଙ୍କୁ ଠେଙ୍ଗା ଧରି କିଛି ପୁରୁଷ ଓ ମହିଳା ଆକ୍ରମଣ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ପୁଲିସ ଅଧିକାରୀମାନେ ପାଖରେ ଥିବାରୁ ବର୍ତ୍ତିଯାଇଛନ୍ତି ସିବିଆଇ ଅଧିକାରୀ । ଅନଲାଇନରେ ଶିଶୁ ଯୌନ ନିର୍ଯାତନା ମାମଲାରେ ଦେଶର ୭୬ଟି ସ୍ଥାନରେ ଚଢାଉ ଚାଲିଛି । ଆଉ ଢେଙ୍କାନାଳରେ ଚଢାଉ ସମୟରେ ଏଭଳି ପରିସ୍ଥିତି ଦେଖାଦେଇଛି ।

ଜୁବୁଲିଟାଉନ କଲୋନୀକୁ ସିବିଆଇ ଟିମର ୬ ଜଣ ଅଧିକାରୀ ପଚରାଉଚରା ପାଇଁ ଆସିଥିଲେ । ମିଥୁନ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବନ୍ଦ କରି ଦିନ ପ୍ରାୟ ୨ଟା ଯାଏଁ ପଚରାଉଚରା କରିଥିଲେ । ଆଉ ଏଥିରେ ତାତିଥିଲେ ଲୋକେ । ପୁଲିସ ମିଥୁନଙ୍କୁ ଥାନାକୁ ଆଣିବାବେଳେ ଉତ୍ୟକ୍ତ ଲୋକେ ଠେଙ୍ଗାବାଡି ଧରି ସିବିଆଇ ଟିମକୁ ଆକ୍ରମଣ କରିଥିଲେ ।

ଓଡିଶାର ଭଦ୍ରକ, ଢେଙ୍କାନାଳ ଓ ଯାଜପୁରରେ ମଧ୍ୟ ସିବିଆଇର ଟିମ ଚଢାଉ କରିଥିଲା । ମଙ୍ଗଳବାର ସକାଳେ ଆରମ୍ଭ ହୋଇଥିବା ଏହି ଚଢାଉ ରେ ୧୪ଟି ରାଜ୍ୟର ୭୬ ସ୍ଥାନରେ ସିବିଆଇ ଅଧିକାରୀମାନେ ଅଭିଯୁକ୍ତଙ୍କୁ ସିଧା ପଚରାଉଚରା କରିଥିଲେ । ଜଣେ ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ମାମଲାରେ ନଭେମ୍ବର ୧୪ ସୁଦ୍ଧା ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ ମାମଲା ରୁଜୁ ହୋଇଛି । ପୋକସୋ ଆଇନର ଧାରା ୧୪ ଅନୁସାରେ ଏବଂ ଶିଶୁଙ୍କ ଅଶ୍ଲୀଳ ଭିଡିଓ ତିଆରି ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର