କଂସର ହାଇସ୍କୁଲ ଛାତ୍ରୀନିବାସ ସିସିଏଙ୍କୁ ନିର୍ଯାତନା ଅଭିଯୋଗ

ଦେବଗଡ଼: ତିଲେଇବଣୀ ବ୍ଲକ କଂସର ସ୍ଥିତ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନସ୍ଥ ସରକାରୀ ସ୍କୁଲ୍‌ ଛାତ୍ରୀ ନିବାସର ସିସିଏ (କୁକ୍‌-କମ୍‌-ଆଟେଣ୍ଡାଣ୍ଟ୍‌) ସୁବାସିନୀ ନାଏକଙ୍କୁ ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟ ନନ୍ଦିତା ସାହୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଜାତି ଗୋତ୍ର ଉଚ୍ଚାରଣ କରି ଗାଳିଗୁଲଜ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇବା ନେଇ ଶ୍ରୀମତୀ ନାଏକ ପ୍ରଧାନ ଶିକ୍ଷଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟ (ଚଳିତ ମାସ ଦାୟିତ୍ୱରେ ଥିବା) ଶ୍ରୀମତୀ ସାହୁ ମଧ୍ୟ ହଷ୍ଟେଲ୍‌ର ଛାତ୍ରୀମାନଙ୍କ ଅଭିଯୋଗ ଆଧାରରେ ସିସିଏଙ୍କ ତାଗିଦ କରିଥିବା କହିଛନ୍ତି। ସିସିଏ ମେସ୍‌ରେ ରୋଷେଇ ପାଇଁ ଉଦ୍ଦିଷ୍ଟ ପନିପରିବା ନିଜ ରୁମ୍‌କୁ ନେଇ ଯାଇ ରୋଷେଇ କରୁଥିବା ସେ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ସିସିଏ ସୁବାସିନୀ ନାଏକ କରିଥିବା ଅଭିଯୋଗ ଅନୁସାରେ ସେ ଗତ ୪ ବର୍ଷ ହେଲା ହଷ୍ଟେଲ୍‌ରେ କାର୍ଯ୍ୟ କରି ଆସୁଛନ୍ତି। ସରକାରୀ ନିୟମ ଅନୁସାରେ ମହିଳା ସିସିଏଙ୍କ ମାଧ୍ୟମରେ ଚାଉଳ ଓ ଡାଲି ସହ ଅନ୍ୟାନ୍ୟ ସାମଗ୍ରୀ ମାପ ହୋଇ ମେସ୍‌ ଗୋଦାମରୁ ରୋଷେଇ ପାଇଁ ନିଆଯିବା କଥା। କିନ୍ତୁ ଗତ ୧ ତାରିଖରୁ ଦାୟିତ୍ୱ ନେବା ପରେ ଆସିଷ୍ଟାଣ୍ଟ ସପରିନ୍‌ଟେଣ୍ଡେଣ୍ଟ ଶ୍ରୀମତୀ ସାହୁ ତାଙ୍କୁ ଜାଣିଶୁଣି ସଂପୂର୍ଣ୍ଣ ନିବୃତ ରଖିଛନ୍ତି। ଯଦି କେତେବେଳେ ଚାଉଳ ଓ ଡାଲିର ପରିମାଣ ସଂପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଶ୍ରୀମତୀ ସାହୁ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ରୋଷେଇ କାର୍ଯ୍ୟରେ ବାରମ୍ବାର ବାଧା ଦେବା ସହ ଅନେକ ସମୟରେ ଜାତି ଗୋତ୍ର ଓ ଚରିତ୍ରକୁ ଆକ୍ଷେପ କରି ଗାଳି ଦେଉଥିବାରୁ ଅନେକ ଦିନ ହେଲା ସେ ମାନସିକ ଅଶାନ୍ତି ମଧ୍ୟରେ ଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଏପରିକି ଗଭୀର ଚିନ୍ତାଗ୍ରସ୍ତ ଥିବା କାରଣରୁ ତାଙ୍କର ଏଭଳି ଦୟନୀୟ ଅବସ୍ଥା ଦେଖି ଉକ୍ତ ସ୍କୁଲ୍‌ରେ ପଢ଼ୁଥିବା ତାଙ୍କ ଦୁଇଟି ଛୁଆ ମଧ୍ୟ ପ୍ରାୟତଃ କାନ୍ଦୁଛନ୍ତି। ଅନ୍ୟପଟେ ଶ୍ରୀମତୀ ସାହୁ ବ୍ୟବହାରରେ ହଷ୍ଟେଲ୍‌ର ଛାତ୍ରୀମାନେ ମଧ୍ୟ ଭୟଭୀତ ଥିବାରୁ ତାଙ୍କ ବିରୋଧରେ ପାଟି ଖୋଲିବାକୁ ସାହସ କରୁନାହାନ୍ତି। ଯଦି ତାଙ୍କର ଏଭଳି ନିର୍ଯାତନା ଜାରି ରହେ ତେବେ ଆଗାମୀ ଦିନରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଶ୍ରୀମତୀ ନାଏକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତେବେ ଉଭୟଙ୍କ ଅଭିଯୋଗ ନେଇ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ ଉଭୟଙ୍କ ଅଭିଯୋଗପତ୍ର ପାଇଥିବା ସ୍ୱୀକାର କରିଛନ୍ତି। ସିସିଏଙ୍କ ଅଭିଯୋଗ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର