ପୁରୁଣା ଅଚଳ, ନୂଆ ପାଇଁ ପାଣ୍ଠି ଅଭାବ, ଶିଳ୍ପ ସମୃଦ୍ଧ ରାୟଗଡ଼ାରେ ସିସିଟିଭି ବ୍ୟବସ୍ଥା କେବେ? 

ବଢ଼ୁଛି ଅପରାଧିକ କାର୍ଯ୍ୟକଳାପ, ବାତ୍ୟାରେ ନଷ୍ଟ ହୋଇଗଲା ୨୦ ସିସିଟିଭି

ରାୟଗଡା: ପୁରୁଣା ସିସିଟିଭି ଅଚଳ। ନୂଆ ପାଇଁ ପାଣ୍ଠି ଅଭାବ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ କାର୍ଯ୍ୟକାରୀ ହୋଇପାରୁନି ସିସିଟିଭି ବ୍ୟବସ୍ଥା। ସହରବାସୀଙ୍କ ସୁରକ୍ଷା ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସିସିଟିଭିର ପ୍ରମୁଖ ଭୂମିକା ରହିଛି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ନୂଆ ଯୋଜନା ଫାଇଲ୍ ଭିତରୁ ମୁଣ୍ଡ ଟେକି ପାରୁନି।

ସହରର ୩ ପ୍ରବେଶ ପଥ ସମେତ ସମସ୍ତ ୱାର୍ଡକୁ ସିସିଟିଭି ନଜରରେ ରଖିବା ପାଇଁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ନୂଆ ଯୋଜନା ହୋଇଛି। ଏସପି ଡା. ଶର୍ବଣା ବିବେକ ଏମଙ୍କ ତତ୍ତ୍ବାବଧାନରେ ସର୍ଭେ ପ୍ରକ୍ରିୟା ଶେଷ ହୋଇଛି। ବ୍ରହ୍ମପୁରର ଏକ ବେସରକାରୀ ସଂସ୍ଥା ଜନଗହଳିପୂର୍ଣ୍ଣ ସ୍ଥାନ, ଦୈନିକ ବଜାର, ରାଜପଥ, ବାଇପାସ୍ ରୋଡ୍ ଏବଂ ସମସ୍ତ ୱାର୍ଡକୁ ଦୁଇ ଭାଗରେ ବିଭକ୍ତ କରି ୩୧ଟି ସ୍ଥାନରେ ୧୧୫ଟି ସିସିଟିଭି ଲଗାଇବାକୁ ୪ କୋଟି ୯୭ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଛି। ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ଦୁଇଟି ପାୱାର କ୍ୟାମେରା ଲଗାଇବାକୁ ହୋଇଛି ଯୋଜନା। ସିରିଗୁଡାରୁ ଓଏମପି, ନୂଆସାହି, ଗଜପତି ଜଙ୍କସନ୍, ରେଲୱେ ଷ୍ଟେସନ, ବୁଦୁରାୱାଲାସା ସାଇ ଇଣ୍ଟର ନ୍ୟାସନାଲ୍ ହୋଟେଲ, ସାରଳା ଜଙ୍କସନ୍, ରଇତ କଲୋନି, ଏସବିଆଇ ମୁଖ୍ୟ ଶାଖା, ମଝିଘରିଆଣୀ ମନ୍ଦିର, ବଂଶୀକ୍ରିଷ୍ଣା କଲ୍ୟାଣ ମଣ୍ଡପ, ଜ୍ୟୋତି ମହଲ, ଉମା ଶଙ୍କର ଟକିଜ୍, ଗାନ୍ଧୀ ନଗର, ସିଆରପିଏଫ୍, କତୁରୁ ଅଞ୍ଚଳ ସିସିଟିଭି ନଜରରେ ରହିବ। କିନ୍ତୁ ଏତେ ପରିମାଣର ଟଙ୍କା ପୁଲିସ୍ ପାଖରେ ନଥିବାରୁ ପୌର ପରିଷଦ କିମ୍ବା ଅନ୍ୟ ବିଭାଗ ହାତରେ ଏହାର ଦାୟିତ୍ବ ନ୍ୟସ୍ତ କରିବାକୁ ପୁଲିସ୍ ପ୍ରଶାସନ ଚିନ୍ତା କରୁଛି।

ସିସିଟିଭି କାର୍ଯ୍ୟକାରୀ ହେଲେ ଅପରାଧିକ କାର୍ଯ୍ୟକଳାପ କମିବା ସହ ବେଆଇନ ପାର୍କିଂ, ଜବରଦଖଲ ଉପରେ ନଜର ରଖି ହେବ। ପାଣ୍ଠି ଅଭାବ କାରଣରୁ ନୂଆ ଯୋଜନା ଆଗକୁ ବଢ଼ି ପାରୁନି। ୨୦୧୪ ମସିହାରେ ରାୟଗଡ଼ା ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୧୭ ପର୍ଯ୍ୟନ୍ତ ପୌରପାଳିକା କିଛି ପଦକ୍ଷେପ ନ ନେବା ପରେ ୨୦୧୭ ମେ’ ମାସରେ ଆଇଟିଡିଏ ଟେଣ୍ଡର ଡାକି ମୁମ୍ବାଇର ସ୍ବାତୀ ନାମକ କଂପାନିକୁ ସର୍ଭେ ଦାୟିତ୍ବ ଦେଇଥିଲା। ସର୍ଭେ ପରେ ୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରସ୍ତାବ କଂପାନି ଦେବା ପରେ ୩ଟି ପର୍ଯ୍ୟାୟରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ବ୍ୟୟରେ ସହରର ତିନି ପ୍ରବେଶ ପଥ, କୋରାପୁଟ ରୋଡରେ ୨ଟି, ଫରେଷ୍ଟ ଗେଟରେ ଗୋଟିଏ, ପିତାମହଲରେ ଦୁଇଟି, ପୁଲିସ୍ ଷ୍ଟେସନରେ ୨ଟି, ଭାକୁରଗୁଡାରେ ୨ଟି, ଶାସ୍ତ୍ରୀ ନଗରରେ ୨ଟି, ମା’ ମଝିଘରିଆଣୀ ମନ୍ଦିରରେ ୨ଟି, ଶିରିଗୁଡାରେ ୨ଟି, କୋତାପେଟାରେ ଗୋଟିଏ ଏବଂ ରଥ ରୋଡରେ ୨ଟି ସିସିଟିଭି ଲଗାଯିବା ସହ ତିନୋଟି ୱାଚ୍ ଟାୱାର୍ ନିର୍ମାଣ ହୋଇଥିଲା। ୨୦୧୮ ମେ ୯ ତାରିଖରେ ସିସିଟିଭି କାମ କରିବା ଆରମ୍ଭ କରିଥିଲା। ଯାହାର କଣ୍ଟ୍ରୋଲ୍ ରୁମ୍ ଟାଉନ୍ ଥାନା ଭିତରେ ରହିଛି। ୨୦୧୮ ତିତିଲ୍ ବାତ୍ୟାରେ ସିସିଟିଭି କ୍ଷତିଗ୍ରସ୍ତ ହେବା ପରେ ମରାମତି ହୋଇପାରୁନଥିବାର ଅଚଳ ଅବସ୍ଥାରେ ପଡିଛି। ଏପଟେ ନୂଆ ଯୋଜନା ପାଇଁ ପୁଲିସ୍ ବିଭାଗ ପାଖରେ ପାଣ୍ଠି ନଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ହେଉନି।

ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାର ବିକାଶ ପାଇଁ ଅନୁଦାନର ଅଭାବ ନାହିଁ। ବାର୍ଷିକ ହଜାରେ କୋଟିର ଯୋଜନା ପରିଚାଳନା ହେଉଥିବା ଏହି ଜିଲ୍ଲା ସରକାରୀ ଅନୁଦାନଠୁ ଆରମ୍ଭ କରି ଜିଲ୍ଲା ଖଣିଜ ପାଣ୍ଠି ବାବଦକୁ ବାର୍ଷିକ ଶହ ଶହ କୋଟି ଟଙ୍କା ଶିଳ୍ପାନୁଷ୍ଠାନରୁ ପାଉଛି। ଉନ୍ନୟନ ନାଁରେ ସହରର ସୌନ୍ଦର୍ଯ୍ୟକରଣ, ଉଦ୍ୟାନର ବିକାଶ, କୋଠାବାଡ଼ି ନିର୍ମାଣରେ ଅନୁଦାନ ଟଙ୍କାକୁ ପ୍ରଶାସନିକ ଅଧିକାରୀ ଖର୍ଚ୍ଚ କରୁଛନ୍ତି। ହେଲେ ସୁରକ୍ଷା ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ ପାଲଟିଥିବା ସିସିଟିଭି ଯୋଜନା କାର୍ଯ୍ୟକାରୀ ଦିଗରେ କେହି ଚିନ୍ତା କରୁନାହାନ୍ତି। ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରବାସୀଙ୍କ ସୁରକ୍ଷା ଦାୟିତ୍ବରେ କେବଳ ଗୋଟିଏ ଥାନା ଥିବାରୁ କେତେବେଳେ କିଛି ଅଘଟଣ ଘଟିଲେ ପୁଲିସ୍ ବେସରକାରୀ ଲୋକଙ୍କ ସିସିଟିଭି ଉପରେ ନିର୍ଭର କରୁଛି।

ସମ୍ବନ୍ଧିତ ଖବର