ହଳଦୀ ଗାଁକୁ ଜଗିଛି ସିସିଟିଭି, ହ୍ରାସ ପାଇଛି ଚୋରି ଓ ଗଣ୍ଡଗୋଳ ସଂଖ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ହଳଦୀ ଗାଁ ରାଜ୍ୟର ସବୁଠୁ ସୁରକ୍ଷିତ ଗାଁ ଭାବେ ଏବେ ଚର୍ଚ୍ଚାକୁ ଆସିଛି। କାରଣ ଏହି ପୂରା ଗାଁକୁ ସିସିଟିଭି ଜଗିଛି । ଛକରୁ ଆରମ୍ଭ କରି ଗାଁ ଗଳି ସବୁଠି ରହିଛି ସିସିଟିଭିର ନଜର ।ଗାଁ ଭିତରକୁ କିଏ ଆସୁଛି, କଣ କରୁଛି ତାହାର ପ୍ରତିଟି ଗତିବିଧି ଉପରେ ନଜର ସିସିଟିଭି ରଖିଛି । ଆଉ ଏଭଳି କରି ପୂରା ଗାଁକୁ ସିସିଟିଭିର ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ହଳଦୀ ଗାଁର ଏଭଳି ହାଇଟେକ ବ୍ୟବସ୍ଥା ଏବେ ରାଜ୍ୟର ଅନ୍ୟ ଗାଁ ଗୁଡିକ ପାଇଁ ଉଦାହରଣ ସାଜିଛି ।

ତେବେ ଏହି ଗାଁରେ ସିସିଟିଭି ଲଗାଯିବା ପଛରେ ଏକ ବଡ କାରଣ ରହିଛି । କାରଣ ସିସିଟିଭି ଲାଗିବା ପୂର୍ବରୁ ଗାଁରେ ବାରମ୍ବାର ଚୋରି ହେବା ସହ ରାତି ହେଲେ ମଦୁଆଙ୍କ ଦୌରାତ୍ମ ଦେଖିବାକୁ ମିଳୁଥିଲା । ତେବେ ସିସିଟିଭି ଲଗାଯିବା ପରେ ଗାଁରୁ ଚୋରି ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ମଦୁଆଙ୍କ ଦୌରାତ୍ମ୍ୟ ମଧ୍ୟ କମିଛି ।

ତେବେ ଗାଁରେ ସିସିଟିଭି ଲଗାଇବା ପଛର ମୁଖ୍ୟ ସୁତ୍ରଧର ଥିଲେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ । ଦୀର୍ଘ ବର୍ଷ ଧରି ଗାଁରେ ଲାଗି ରହିଥିବା ଏହି ସମସ୍ୟାର ସମାଧାନ ପାଇଁ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଥିଲେ । ତେବେ ଗୋପୀନାଥଙ୍କ ଏହି ନିଷ୍ପତିକୁ ଗ୍ରାମବାସୀ ପ୍ରଥମେ ବିରୋଧ କରିଥିଲେ । କିନ୍ତୁ କାହା କଥାକୁ ଭ୍ରୃକ୍ଷେପ ନ କରି ପଞ୍ଚାୟତ ପାଣ୍ଠିରୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଗୋପୀନାଥ ୨୯ଟି ସିସିଟିଭି ଲଗାଇଥିଲେ । ସିସିଟିଭି ଲାଗିବା ପରେ ଗତ ଗୋଟିଏ ବର୍ଷ ମଧ୍ୟରେ ଗାଁରୁ ଚୋରି, ଗଣ୍ଡଗୋଳ କମିଛି ।

ସମ୍ବନ୍ଧିତ ଖବର