କୋଟପାଡ଼ରେ ଲାଗିଲା ୩୫ ସିସିଟିଭି କ୍ୟାମେରା, ସୁନାବେଡ଼ା-ସେମିଳିଗୁଡ଼ା-ଜୟପୁରରେ ଖୁବ୍‌ ଶୀଘ୍ର ଏହି ବ୍ୟବସ୍ଥା

ଜୟପୁର:  ସହରାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ କୋରାପୁଟ ପୁଲିସ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ନିକଟରେ ଜିଲ୍ଲାର କୋଟପାଡ଼ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି।

ଏସ୍‌ପି ଶ୍ରୀ ଭାମୁ କହିଛନ୍ତି, ଆଗାମୀ ୫ ଦିନ ଭିତରେ ସେମିଳିଗୁଡ଼ା ଓ ସୁନାବେଡ଼ା ସହରରେ ମୋଟ ୬୨ଟି ସିସିଟିଭି କ୍ୟାମେରା ଲାଗିବ। ସେହିପରି ଜାନୁଆରି ୨୬ ପୂର୍ବରୁ ଜୟପୁର ସହରରେ ୯୨ଟି କ୍ୟାମେରା ଲାଗିବ। ଜୟପୁର ସହରର ବ୍ୟସ୍ତ ବହୁଳ ଛକ, ବସଷ୍ଟାଣ୍ଡ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ମାଓ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ସହରରେ ସିସିଟିଭି ଲଗାଇବାକୁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କୋଟପାଡ଼ ସହରରେ ସିସିଟିଭି କ୍ୟାମେରା ଲଗାଇ ସାରିଥିବା ବେଳେ ସେମିଳିଗୁଡ଼ା, ସୁନାବେଡ଼ା ଓ ଜୟପୁରରେ ଖୁବ୍‌ ଶୀଘ୍ର କ୍ୟାମେରା ଲଗାଯିବ। ସେହିଭଳି ଜିଲ୍ଲାର ଅନ୍ୟ ସହରଗୁଡ଼ିକରେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସିସିଟିଭି କ୍ୟାମେରାଗୁଡ଼ିକ ଲଗାଯିବ ବୋଲି ଏସ୍‌ପି ଶ୍ରୀ ଭାମୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର