ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ସିସିଟିଭି ନଜରରେ ରହିବ। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଧର୍ମଗଡ଼ର ବିଭିନ୍ନ ଛକ ନିକଟରେ ମୋଟ ୩୨ଲକ୍ଷ ୫୩ ହଜାର ଟଙ୍କାର ୪୧ଟି ଉଚ୍ଚ ଶକ୍ତି ସମ୍ପନ୍ନ ସିସିଟିଭି ଲାଗିବ। ଆଜି ବହୁ ପ୍ରତିକ୍ଷୀତ ସିସିଟିଭି ସର୍ଭିଲେନ୍ସ ସିଷ୍ଟମ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର ସ୍ଥାପନ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଶଧି ବାଗ, ମୂଖ୍ୟ ନିର୍ବାହୀ ଅଧିକାରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଡ. ଅଜିତ କୁମାର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧୀକ୍ଷକ କଳାହାଣ୍ଡି ଅଭିଳାଷ ଜି, ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଉପାଧ୍ୟକ୍ଷ ମନିଷା ମିଶ୍ର ଓ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ୍ କୁମାର ଚୋପଦାର୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସିସିଟିଭିକୁ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସ୍ଥାପନ କରାଯିବ ବୋଲି ଶ୍ରୀ ଚୋପଦାର୍ କହିଛନ୍ତି।
ବିଗତ ବର୍ଷମାନଙ୍କରେ ଧର୍ମଗଡ଼ ସହରରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ସହିତ, ଚୋରି, ଡକାୟତି ଓ ରାହାଜାନୀ ହୋଇଥିଲା ଓ ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ସ୍ଥାନୀୟ ପୁଲିସକୁ ନାକେଦମ୍ ହେବାକୁ ପଡୁଥିଲା। ସହର ସିସିଟିଭି ସର୍ଭିଲେନ୍ସରେ ରହିବା ଫଳରେ ବିଭିନ୍ନ ପ୍ରକାର ଅପରାଧ ନିୟନ୍ତ୍ରଣରେ ରହିବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି।
ଧର୍ମଗଡ଼ରେ ସିସିଟିଭି ଲଗାଇବା ପାଇଁ ଦୀର୍ଘ ଦିନରୁ ପ୍ରସ୍ତାବ ରହିଥିଲା। କିନ୍ତୁ ରାଜନୈତିକ ଓ ପ୍ରଶାସନିକ ଅବହେଳା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁ ନଥିଲା। ଏସଂପର୍କିତ ବାରମ୍ବାର ଖବର ବିଭିନ୍ନ ସମୟରେ ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଧର୍ମଗଡ଼ ବିଧାୟକ ମୌସୁଧି ବାଗଙ୍କ ନେତୃତ୍ୱରେ ଏହି ସମସ୍ୟା ସମ୍ପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ଓ ପରେ ଅଧ୍ୟକ୍ଷ ଏହି ସମସ୍ୟାକୁ ଦୃଷ୍ଟି ଦେଇ ଧର୍ମଗଡ ସହରରେ ସିସିଟିଭି ଲାଗିବା ଉପରେ ପାଣ୍ଠି ପ୍ରଦାନ କରିଛନ୍ତି। ସମ୍ବାଦ ଓ କନକ ନ୍ୟୁଜ ପ୍ରତିନିଧି ବିରଞ୍ଚି ନାରାୟଣ ଜାଲ ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ କରି ସଫଳ ରୂପାୟନ ଦେଇ ଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଧର୍ମଗଡ଼ ବିଧାୟକ ମୌସୁଧି ବାଗ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/36391139-c821-42f8-944b-2c59c37c9335.jpeg)