ଶ୍ବଶୁର ଓ ଶଳାକୁ ହତ୍ୟା କରିବାକୁ କାର୍‌ ଚଢ଼ାଇଲା ଜ୍ବାଇଁ, ଦେଖନ୍ତୁ ଭିଡିଓ

ସମ୍ବଲପୁର: ଶଳା ଓ ଶ୍ବଶୁରଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଜ୍ବାଇଁ କାର୍‌ ଚଢ଼ାଇ ଦେଇଛି। ସମ୍ବଲପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରୁ ଏହାର ଆରମ୍ଭ ହୋଇଥିବା ଶୁଣିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ଆଇନରେ ଗଭୀର ଜ୍ଞାନ ରଖୁଥିବା ଜଣେ ଓକିଲଙ୍କ ଏଭଳି କାରନାମାକୁ ସବୁଠି ନିନ୍ଦା କରାଯାଇଛି। ସୋମବାର ଦିନ ବୁର୍ଲା ପିଏଚ୍‌ଡି ବିଏମ୍‌ସି କଲୋନିର ପଞ୍ଚାନନ ଦାସ ନାମକ ଓକିଲ ତାଙ୍କ ସମ୍ପର୍କୀୟ ଶଳା ସୌମ୍ୟରଞ୍ଜନ ଦାସ ଓ ତାଙ୍କ ଶ୍ବଶୁର ରାମଚନ୍ଦ୍ର ମହାପାତ୍ରଙ୍କୁ ଏସପି ଅଫିସ ନିକଟରେ କାର ମଡ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଶ୍ବଶୁର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସୌମ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାନନ ଓ ତାଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ରଙ୍କ ମଧ୍ୟରେ ଅନେକ ଦିନରୁ ଝଗଡ଼ା ଲାଗି ରହିଥିଲା।

ଯେଉଁ କାରଣରୁ ଚିନ୍ମୟୀ ତାଙ୍କ ବାପା ଓ ଭାଇଙ୍କ ସହ ସୋମବାର ସକାଳେ ବାର୍‌ ଆସୋସିଏସନ୍‌ର ସଭାପତିଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ଅପେକ୍ଷା କରିଥିଲେ। ଏ ବିଷୟରେ ପଞ୍ଚାନନ ଜାଣିବା ପରେ ରକ୍ତ ଚାଉଳ ଚୋବାଇବା ଭଳି ଆଇନର ସବୁ ଜ୍ଞାନ ଥାଇ କାର୍‌ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦିନ ୧୨ଟାରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଡ଼ୁ କାର୍‌କୁ ଆଣି ପ୍ରଥମେ ତାଙ୍କ ଶ୍ବଶୁରଙ୍କୁ ମଡ଼ାଇବାକୁ ଚେଷ୍ଟା କରିଥିଲେ। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥିରେ ରାଗିଯାଇ ପଞ୍ଚାନନ ଆଉଥରେ କାର୍‌କୁ ଦ୍ରୁତ ଗତିରେ ଆଣି ତାଙ୍କ ଶଳାକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋର୍‌ରେ ହୋଇଥିଲେ ଯେ, ଏସପିଙ୍କ ଆବାସର ପାଚେରି ଭାଙ୍ଗି ଯାଇଥିଲା।

ସୌମ୍ୟ ପାଚେରି ସେପଟେ ଯାଇ ପଡ଼ିଥିଲେ। ସେ ଗୁରୁତର ଭାବେ ଆହତ ହୋଇଥିଲେ। ସୌମ୍ୟଙ୍କୁ ଗାଡ଼ି ମଡ଼ାଇବା ପାଇଁ ସେ ଆଉ ଜଣେ ବାଇକ୍‌ ଆରୋହୀ ଓ ଛିଡ଼ା ହୋଇଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲେ। ଏ ନେଇ ପଞ୍ଚାନନଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ସହିତ ଅଭିଯୁକ୍ତ ପଞ୍ଚାନନକୁ ପୁଲିସ ଗିରଫ କରିଥିବା କହିଛି।

ସମ୍ବନ୍ଧିତ ଖବର