ଚିଲିକାକୁ ଭୁଲିଗଲାଣି ସିଡିଏ, ୪ ବର୍ଷ ଧରି ପ୍ରସ୍ତୁତ ହୋଇନାହିଁ ଚିଲିକା ସ୍ୱାସ୍ଥ୍ୟ ରିପୋର୍ଟ

ଖୋର୍ଦ୍ଧା: ଦେଶର ପ୍ରଥମ ରାମସର ସଂରକ୍ଷିତ ଅଞ୍ଚଳ ଭାବେ ଘୋଷିତ, ଏସିଆର ସର୍ବବୃହତ ଖାରିଆ ଜଳ ହ୍ରଦ ଚିଲିକାରୁ ମତ୍ସ୍ୟ ଉତ୍ପାଦନ ବଢ଼ୁଛି, ଚିଲିକାରୁ ମାଛ ଧରି ଜୀବିକା ଉପାର୍ଜନ କରୁଥିବା ଲୋକଙ୍କ ଆୟ ବଢ଼ୁଛି, କିନ୍ତୁ ଚିଲିକା ଶୁଖିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଚିଲିକାକୁ ସୁରକ୍ଷା ଦେବା ପାଇଁ ଗଠିତ ହୋଇଥିବା ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ) ଚିଲିକାର ବିଗୁଡ଼ୁଥିବା ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ତଥ୍ୟ ଗତ ୪ ବର୍ଷ ମଧ୍ୟରେ ସଂଗ୍ରହ କରିନାହିଁ କିମ୍ବା ସୁରକ୍ଷା ପାଇଁ କୌଣସି ଅତିରିକ୍ତ ଯୋଜନା ପ୍ରସ୍ତୁତ କରିନାହିଁ। ଚିଲିକା କୂଳର ସ୍ଥାନୀୟ ମତ୍ସ୍ୟଜୀବୀ ଓ ଲୋକଙ୍କ କହିବାନୁସାରେ, ମଇ ମାସରେ ଚିଲିକାର ଜଳ ଶୁଖିଯାଉଥିବାରୁ ପରିସୀମା ସ୍ୱାଭାବିକ ଭାବେ ହ୍ରାସ ପାଇଥାଏ, କିନ୍ତୁ ଗତ ଦୁଇବର୍ଷ ଧରି ଏହି ସମୟରେ ଚିଲିକାର ଜଳ ଯେଉଁ ସ୍ଥାନରେ ରହିବା କଥା ସେଠାରୁ ପ୍ରାୟ ୧୦୦- ୨୦୦ ମିଟର ପଛକୁ ଘୁଞ୍ଚିଯାଇଛି। ଲୋକଙ୍କ ଏହି କଥାର ପ୍ରମାଣ ଗୁଗୁଲ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ଜଣାଯାଉଛି। ୨୦୨୧ରେ କାନାଡା ଓଂଟାରିଓର ୱାଟରଲୁ ବିଶ୍ୱବିଦ୍ୟାଳୟର ନଭ୍ୟା ବିକ୍ରମ ନାୟାର୍ଙ୍କ ନେତୃତ୍ୱରେ ଚିଲିକାର ବାୟୋଡାଇଭର୍ସିଟି ସମ୍ପର୍କରେ ଏକ ଗବେଷଣା ନିବନ୍ଧ ପ୍ରକାଶ ପାଇଥିଲା। ଏହି ନିବନ୍ଧର ୨୦୧୮-୧୯ ତଥ୍ୟାନୁସାରେ, ଚିଲିକାର ଆୟତନ ବର୍ଷାଋତୁ ଓ ଗ୍ରୀଷ୍ମଋତୁ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଥାଏ। ବର୍ଷାଋତୁରେ ଏହାର ଆୟତନ ୧୧୬୫ ବର୍ଗ କିମି ଥିବା ବେଳେ ଗ୍ରୀଷ୍ମଋତୁରେ ଏହା ୯୦୬ ବର୍ଗ କିମିକୁ ହ୍ରାସ ପାଇଥାଏ। ନିବନ୍ଧ ନିମନ୍ତେ ଗବେଷଣା ସମୟରେ ଗ୍ରୀଷ୍ମଋତୁରେ ଚିଲିକାର ଦୈର୍ଘ୍ୟ ହାରାହାରି ୬୪.୩ କିମି ରହୁଥିବା ବେଳେ ପ୍ରସ୍ଥ ୨୦.୧ କିମି ରହଥିଲା। ବର୍ତ୍ତମାନ ତଥ୍ୟାନୁସାରେ, ଚିଲିକାର ଦୈର୍ଘ୍ୟ ପ୍ରାୟ ୫୦-୫୫ କିମିକୁ ହ୍ରାସ ପାଇଥିବା ବେଳେ ଦକ୍ଷିଣ ଭାଗର ପ୍ରସ୍ଥ ୯ରୁ ୧୧ କିମିକୁ ହ୍ରାସ ପାଇଛି। ଓଡ଼ିଶାର ପ୍ରକୃତିର ରାଣୀ ଭାବେ ପରିଚିତ ଚିଲିକା ହ୍ରଦର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ୧୯୯୧ରେ ଗଠିତ ହୋଇଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ରେ ବର୍ତମାନ ୨୫ ଜଣ ସଦସ୍ୟ ଅଛନ୍ତି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ ବିଶେଷଜ୍ଞ ଅଛନ୍ତି। ଏହି କର୍ତ୍ତୃପକ୍ଷର ଅଧ୍ୟକ୍ଷ ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଲିକାର ସ୍ୱାସ୍ଥ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା ନେଇ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମହଲରେ ଉଦ୍ବେଗ ପ୍ରକାଶ ପାଇବା ପରେ ୨୦୧୨-୧୩ ମସିହାରେ ପ୍ରଥମେ ଚିଲିକାର ସ୍ୱାସ୍ଥ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ଏହି ରିପୋର୍ଟରେ ଚିଲିକାର ପରିବେଶ, ଆୟତନ, ଜଳର ବିଶୁଦ୍ଧତା, ଚିଙ୍ଗୁଡ଼ି ଘେରି ସଂଖ୍ୟା, ମତ୍ସ୍ୟ ଉତ୍ପାଦନ ଓ ମତ୍ସ୍ୟ ଆଦି ଜୀବନଙ୍କ ପ୍ରଜାତି ସଂଖ୍ୟା ଆଦି ସମ୍ପର୍କରେ ବିସ୍ତୃତ ଗବେଷଣାତ୍ମକ ତଥ୍ୟ ପ୍ରକାଶ ପାଇଥାଏ। ପ୍ରଥମ ରିପୋର୍ଟ ପ୍ରକାଶ ପାଇବା ବେଳେ ପ୍ରତି ଦୁଇବର୍ଷର ଥରେ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯିବ ଓ ରିପୋର୍ଟ ଭିତ୍ତିରେ ଚିଲିକାର ପ୍ରାକୃତିକ ପରିବେଶକୁ ସଜାଡ଼ିବାକୁ ଯୋଜନା କରାଯିବ ବୋଲି କର୍ତୃପକ୍ଷ ଘୋଷଣା କରିଥିଲେ। କିନ୍ତୁ ଏହି ରିପୋର୍ଟର ୫ ବର୍ଷ ପରେ ୨୦୧୮ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପ୍ରଥମ ତଦାରଖ ବୈଠକ ବସି ଚିଲିକାର ସୁରକ୍ଷା ପାଇଁ ଏକ ବିଂଶସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ବର୍ଷ ଚିଲିକା ସମ୍ପର୍କରେ ଯେଉଁ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରକାଶ ପାଇଥିଲା, ତାହା ଶେଷ ରିପୋର୍ଟ ଥିଲା। ଯଦିଓ ପ୍ରତିବର୍ଷ ଚିଲିକାରେ ପକ୍ଷୀ, ଡଲଫିନ୍ ଗଣନା କରାଯାଇ ରିପୋର୍ଟ ସାର୍ବଜନୀନ କରାଯାଉଛି, କିନ୍ତୁ ଚିଲିକାର ସାମଗ୍ରିକ ପ୍ରାକୃତିକ ସ୍ଥିତିକୁ ନେଇ ଚିଲିକା ସ୍ୱାସ୍ଥ୍ୟ ରିପୋର୍ଟ ଗତ ୪ ବର୍ଷ ଧରି ପ୍ରସ୍ତୁତ ହୋଇନାହିଁ। ପରିସ୍ଥିତି ଏଭଳି ଯେ ବର୍ତମାନ କର୍ତ୍ତୃପକ୍ଷ ନିକଟରେ ଚିଲିକା ସମ୍ପର୍କରେ କୌଣସି ସଦ୍ୟତମ ତଥ୍ୟ ନାହିଁ। ଏନେଇ ସିଡିଏର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଖୁସୱନ୍ତ ସିଂହଙ୍କ ସହ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ବନ୍ଦ ଥିବା ହେତୁ ଯୋଗାଯୋଗ ହୋଇ ପାରିନାହିଁ। ଏପରିକି କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ମିଳିଥିବା ସାଇଣ୍ଟିଫିକ୍‌ ଅଧିକାରୀ ଡ଼ଃ. ରବୀନ୍ଦ୍ରନାଥ ସାମଲଙ୍କ ଉଭୟ ଲ୍ୟାଣ୍ଡ ଓ ମୋବାଇଲ୍ ନମ୍ବର ମଧ୍ୟ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଉଥିବାରୁ ସ୍ୱାସ୍ଥ୍ୟ ରିପୋର୍ଟ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର