ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ମାମଲା: ସ୍ଥାୟୀ ଲୋକ ଅଦାଲତରେ ପକ୍ଷ ରଖିଲେ ସିଡିଏମଓ 

ରାୟଗଡ଼ା: ରୋଗୀ ସେବା କ୍ଷେତ୍ରରେ ରାୟଗଡ଼ା ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ନେଇ ସ୍ଥାୟୀ ଲୋକ ଅଦାଲତରେ ରୁଜୁ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି। ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା ମାମଲାର ଶୁଣାଣି କରି ଆଗାମୀ ଦିନରେ ଉତ୍ତମ ରୋଗୀ ସେବା ସହ ମେଡ଼ିକାଲ ଭିତ୍ତିଭୂମିର ସୁଦୃଢ଼ୀକରଣ, ଡାକ୍ତର, ନର୍ସ ପଦବି ପୂରଣ, ଆବଶ୍ୟକ ସମସ୍ତ ଉପକରଣ ମହଜୁଦ୍ ରଖିବାକୁ ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ।

ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର, ନର୍ସ ଅଭାବ ସହ ବିଭିନ୍ନ ଅବ୍ୟବସ୍ଥା ଏବଂ ଆବଶ୍ୟକ ଉପକରଣ ନଥିବାରୁ ୨୦୧୯ ମସିହାରେ ସ୍ଥାୟୀ ଲୋକ ଅଦାଲତରେ ବରିଷ୍ଠ ଆଇନଜୀବୀ ଲାବଣ୍ୟମୋହନ ପଟ୍ଟନାୟକ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ଲୋକ ଅଦାଲତ ଅଧ୍ୟକ୍ଷ ଶ୍ରୀ ବ୍ରହ୍ମା। ମାମଲାର ଶୁଣାଣି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଉତରାୟ ଉପସ୍ଥିତ ରହି ମାମଲା ସଂପର୍କିତ ସମସ୍ତ ତଥ୍ୟ ଅଧ୍ୟକ୍ଷଙ୍କ ଠାରେ ଉପସ୍ଥାପନା କରିବା ସହ ଆଗାମୀ ଦିନରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ଲିଖିତ ଭାବେ ଅଦାଲତକୁ ଜଣାଇଛନ୍ତି।

୨୦୧୯ ମସିହାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଞ୍ଜୁରି ପଦବିଠାରୁ ବହୁ କମ ସଂଖ୍ୟକ ବିଭିନ୍ନ ବିଭାଗୀୟ ବିଶେଷଜ୍ଞ, ଡାକ୍ତର ରହିଥିଲେ। ସେହିପରି ଷ୍ଟାଫ୍ ନର୍ସ ସମେତ ଅନ୍ୟ କର୍ମଚାରୀ ପଦବି ପୂରଣ ହୋଇ ପାରିନଥିବା ବେଳେ ରୋଗୀଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ମେଡିକାଲ ଉପକରଣ ଗୁଡିକର ମଧ୍ୟ ଅଭାବ ରହିଥିଲା। ରୋଗୀଙ୍କ ପାଇଁ ଆବଶ୍ୟକ ଶଯ୍ୟାର ଅଭାବ, ୧୦୮ ଆମ୍ବୁଲାନସ୍, ଶବ ବୁହା ଗାଡିର ଅଭାବ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଫଳରେ ରାୟଗଡ଼ାକୁ ମେଡ଼ିକାଲକୁ ଚିକିତ୍ସା ପାଇଁ ଦୂର ଦୂରାନ୍ତରୁ ଆସିଥିବା ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ନ ପାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାଧ୍ୟ ହୋଇ ରୋଗୀ ପଡୋଶୀ ଆନ୍ଧ୍ରର ପାର୍ବତୀପୁରମ, ବିଜୟନଗରମ, ବିଶାଖାପାଟଣମ ସହ ରାଜ୍ୟର ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆଦି ଦୂର ସ୍ଥାନ ମେଡିକାଲ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିଲେ। ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର ଗରିବ ଓ ମଧ୍ୟମ ଶ୍ରେଣୀର ପରିବାରର ରୋଗୀମାନେ ଏହି କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ଏବଂ ଜରୁରିକାଳନୀ ସମୟରେ ସ୍ୱାସ୍ଥ୍ୟ ସେବା ନ ପାଇ ମୃତ୍ୟୁମୁଖରେ ପଡୁଥିଲେ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଓକିଲ ଶ୍ରୀ ପଟ୍ଟନାୟକ ଲୋକ ଅଦାଲତରେ ମାମଲା ଦାଏର କରିଥିଲେ। ଲୋକ ଅଦାଲତଙ୍କ ରାୟ ପରେ ରୋଗୀ ସେବା ସୁଧୁରିବା ନେଇ ଆଶା ପ୍ରକାଶ ପାଇଥିବାରୁ ଆଇନଜୀବୀ ଶ୍ରୀ ପଟ୍ଟନାୟକ ଖୁସି ପ୍ରକାଶ କରିଛ୍ତି।

ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଡାକ୍ତର ନିଯୁକ୍ତ ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ପ୍ରସୂତି ବିଭାଗରେ ୪ଜଣ ବିଶେଷଜ୍ଞ, ଡାକ୍ତର, ଅର୍ଥପେଡିକ୍ ୩ ଜଣ, ଆନେସ୍ତେସିଆ ୪ଜଣ, ମେଡିସିନ୍ ସ୍ପେଶାଲିଷ୍ଟ ୪ ଜଣ, ଶିଶୁ ବିଶେଷଜ୍ଞ ୨ଜଣ, ସର୍ଜରୀ ୨ ଜଣଙ୍କ ସମେତ ଅନ୍ୟ ବିଭାଗୀୟ ଡାକ୍ତର ଏବଂ ୯୦ ଜଣ ଷ୍ଟାଫ୍ ନର୍ସଙଙ୍କ ସହ ୧୦ ଲ୍ୟାବ୍ ଟେକ୍ନିସିଆନ ଓ ଅନ୍ୟ କର୍ମଚାରୀ ନିୟୋଜିତ ଥିବା ସିଡିଏମଓ ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି। ବାକି ରହିଥିବା ଡାକ୍ତର ପଦବି ପୂରଣ ନିମନ୍ତେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ତାହା ଉପରେ ପଦକ୍ଷେପ ନିଆଯାଉଛି ବୋଲି ସିଡିଏମଓ ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର