ପ୍ରାଣୀ ଚିକିତ୍ସା ବିଭାଗରେ ଅଟକିଛି ଗ୍ରୁପ୍ ଡି କର୍ମଚାରୀ ନିଯୁକ୍ତି, ୨ ବର୍ଷ ହେଲା ନିର୍ଦେଶକଙ୍କ ଚିଠିକୁ ଚାପିଛନ୍ତି ସିଡ଼ିଭିଓ

ରାୟଗଡ଼ା: ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗରେ ଅଟକିଛି ଗ୍ରୁପ୍ ଡି ନିଯୁକ୍ତି ପ୍ରକ୍ରିୟା। ବିଭାଗୀୟ ନିର୍ଦେଶ ସତ୍ତ୍ବେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଓ ନିଯୁକ୍ତି କମିଟି କୌଣସି ସିଦ୍ଧାନ୍ତ ନେଇ ପାରୁନଥିବାରୁ ୧୧ ବ୍ଲକରେ ପିଅନ୍ ଓ ଚୌକିଦାର ନିଯୁକ୍ତି ହୋଇପାରୁନି। ଫଳରେ ବିଭାଗରେ ପୂର୍ବରୁ ଆଟେଣ୍ଡାଣ୍ଟ୍ କରି ପରବର୍ତ୍ତୀ ସମୟରେ ଚାକିରୀ ହରାଇଥିବା କର୍ମଚାରୀ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଗାଇବାକୁ ୨୦୧୧ ମସିହାରେ ନିଯୁକ୍ତି ହୋଇଥିବା ଆଟେଣ୍ଡାଣ୍ଟ ମାନେ ୨୦୧୭ ମସିହା ପର୍ଯ୍ୟନ୍ତ କାମ କରୁଥିଲେ। ୨୦୧୭ରେ ଆଟେଣ୍ଡାଣ୍ଟ୍ ପଦବି ଉଚ୍ଛେଦ ପରେ କାର୍ଯ୍ୟରତ କର୍ମଚାରୀ ନିରୁପାୟ ହୋଇ ଘରେ ବସି ରହିଛନ୍ତି।

ଛଟେଇ ହୋଇଥିବା କର୍ମଚାରୀ ପୁନଃ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ ତଥା ରାଜ୍ୟରୁ ଏ ନେଇ ବିଭାଗୀୟ ନିର୍ଦେଶକଙ୍କୁ ଦାବି ପତ୍ର ଯିବା ପରେ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ଓଡ଼ିଶା ବୋର୍ଡ ପକ୍ଷରୁ ବିଭାଗରେ ଖାଲି ପଡିଥିବା ପିଅନ୍ ଓ ଚୌକିଦାର ପଦବି ପୂରଣ ପାଇଁ ତାଲିକା ପ୍ରକାଶ ପାଇଥିଲା।

ରାୟଗଡ଼ା ଜିଲ୍ଲାର ୧୧ ବ୍ଲକରେ ୮ ପିଅନ୍ ଓ ୩ ଚୌକିଦାର ପଦବି ଚୁକ୍ତି ଭିତ୍ତିକ ଭାବେ ସେବ ପ୍ରଦାନକାରୀ ସଂସ୍ଥା ଦ୍ବାରା ନିଯୁକ୍ତି କରିବାକୁ ବିଭାଗୀୟ ନିର୍ଦେଶକ ପତ୍ର ସଂଖ୍ୟା ୨୧୨୪ ତା- ୩୦.୧.୨୦୧୯ ରେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିନି। ବିଭାଗୀୟ ନିର୍ଦେଶକଙ୍କ ଚିଠିର ପ୍ରାୟ ଏକ ବର୍ଷ ପରେ ଅର୍ଥାତ୍ ୨୦୨୦ ଫେବ୍ରୁଆରୀ ୩ ତାରିଖରେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଆଉଟସୋର୍ସିଂ ସଂସ୍ଥାଙ୍କ ଦ୍ବାରା ପକାଯାଇଥିବା କୋଟେସନରେ କର୍ମଚାରୀଙ୍କ ଦରମାକୁ ନେଇ ଭିନ୍ନଭିନ୍ନ ଅର୍ଥ ରାଶି ଉଲ୍ଲେଖ କରିଥିବାରୁ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରୁନି ବୋଲି ଚିଠି ଲେଖିଥିଲେ।

ଏହା ପରେ ବିଭାଗୀୟ ନିର୍ଦେଶକ ପୁଣି ଥରେ ପତ୍ର ସଂଖ୍ୟା ୮୮୭୪ ତା- ୨୮.୫.୨୦୨୦ ରେ ସରକାରୀ ଗାଇଡ ଲାଇନ୍ ଅନୁଯାୟୀ ଆଟେଣ୍ଡାଣ୍ଟ୍ ପଦବିରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ଗ୍ରୁପ୍ ଡି ପୋଷ୍ଟରେ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ନାନା ଆଳ ଦେଖାଇ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ବିଭାଗୀୟ ନିର୍ଦେଶକଙ୍କ ଚିଠିକୁ ଚାପି ରଖିଛନ୍ତି। ଫଳରେ ୨୦୧୭ରୁ ଚାକିରି ହରାଇଥିବା ଆଟେଣ୍ଡାଣ୍ଟଙ୍କ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦିନ କାଟୁଛନ୍ତି।

ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଶାସନ ପାଇଁ ୨୦୧୯ ମସିହାରେ ତତ୍କାଳୀନ ରାୟଗଡ଼ା ଜିଲ୍ଲାପାଳ ସିଡିଭିଓଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ କମିଟି ଜରିଆରେ ନିଯୁକ୍ତି ଦେବାକୁ କହିଥିଲେ। କିନ୍ତୁ କୌଣସି ସୁଫଳ ମିଳି ପାରୁନଥିବାରୁ ଗତ ୮ ତାରିଖରେ ଛଟେଇ ହୋଇଥିବା ଆଟେଣ୍ଡାଣ୍ଟ୍ ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅସୁବିଧା ସଂପର୍କରେ ଜଣାଇବା ସହ ଗ୍ରୁପ୍ ଡି ନିଯୁକ୍ତି ପ୍ରକ୍ରିୟାକୁ ଶେଷ କରିବା ପାଇଁ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ତୁରନ୍ତ ଆଲୋଚନା କରି ଜିଲ୍ଲାପାଳ ପଦକ୍ଷେପ ନେବାକୁ ଛଟେଇ କର୍ମଚାରୀ ପଞ୍ଚାନନ ରଥ, ପ୍ରଫୁଲ୍ଲ କୁମାର ବଲ୍ଲଭଭାଇ, ଭାଗିରଥୀ ବାଉରି, ରାଜ କିଶୋର ନନ୍ଦ, ରଞ୍ଜନ କୁମାର ଜେନା, ଏସ୍. ବିନୋଦ କୁମାର, ପ୍ରମୋଦ କୁମାର ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର