ପେଟେଇଛି ସିମେଣ୍ଟ ଇଟା ପ୍ରକଳ୍ପ, ପାଣିରେ ପଡିଲା ଅଧ କୋଟି ଟଙ୍କା

କୋରାପୁଟ: ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲା ପାଣ୍ଠିରେ ଯୋଡି ହେବ ରାଜସ୍ବ। ସମୃଦ୍ଧ ହେବ କୋରାପୁଟ ଜିଲ୍ଲାର ରାଜକୋଷ। କୋରାପୁଟିଆଙ୍କ ଜୀବନ ଜୀବିକାରେ ସମୃଦ୍ଧି ଆସିବ। କାର୍ଯ୍ୟରେ ନିୟୋଜିତ ହେବେ କୋରାପୁଟର ଯୁବକ। ହେଲେ ସବୁ ପାଣିରେ ପଡିଲା। ଯେଉଁ ଲକ୍ଷ୍ୟ ନେଇ ତିଆରି ହୋଇଥିଲା ତାହା ଏବେ ଚାଲୁଛି କମ୍‌ ଝୁଣ୍ଟୁଛି ବେଶୀ। ଯେଉଁ ସମୟରେ ସିମେଣ୍ଟ ଇଟା ଓଡ଼ିଶାରେ ଆରମ୍ଭ ହୋଇ ନ ଥିଲା ସେହି ସମୟରେ କୋରାପୁଟରେ ମୂଳଦୂଆ ପଡିଥିଲା। ଏବେ ଗୋଟିଏ ପରେ ଗୋଟିଏ ଘରୋଇ ଉଦ୍ୟୋଗମାନ ଖୋଲି କୋରାପୁଟ ବଜାରରେ ରାଜୁତି କରୁଥିବାବେଳେ ଗା‌ନ୍ଧି ନଗରସ୍ତିତ ମାନସ ନିକଟରେ ରହିଥିବା ସିମେଣ୍ଟ ଇଟା ତିଆରି ପ୍ରକଳ୍ପ ଭୁଷୁଡିବାକୁ ବସିଲାଣି। ୨୦୧୨ରେ ଆଇଓପି ପାଣ୍ଠିରେ ଦେଢକୋଟି ଟଙ୍କା ବିନିମୟରେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ। ନୂଆଦିଲ୍ଳୀରୁ ଆସିଥିଲା ଲକ୍ଷାଧିକ ଟଙ୍କାର ମେସିନ। ଏହାସହ ପ୍ରାୟ ଦେଢ ଏକର ଜମିରେ ଆରମ୍ଭ ହୋଇଥିଲା ଈଟା ତିଆରି କାର୍ଯ୍ୟ। ପ୍ରତିଦିନ ୧୦ ହଜାର ଇଟା ତିଆରି କରାଯିବାକୁ ଯୋଜନା କରାଯାଇଥିଲା। ପ୍ରତିଦିନ ୫ଜଣ ବୈଷୟିକ ମାନବ ସମ୍ଭଳ ରହି ଏହାକୁ ପରିଚାଳନା କରୁଥିଲେ।

ପ୍ରଥମେ ପ୍ରଥମେ ଏହିଠାରୁ ଇଟା କୋରାପୁଟ ସମେତ ଜୟପୁର, ବୋରିଗୁମ୍ମା, ସେମିଳିଗୁଡା, ସୁନାବେଢା, ହାଲ ଓ ପଟାଙ୍ଗୀକୁ ଯାଉଥିଲା ଏହିଠିକାର ସିମେଣ୍ଟ ଇଟା। ତତ୍କାଳୀନ ଜିଲ୍ଲାପାଳ ସଚିନ ରାମଚନ୍ଦ୍ର ଯାଦବଙ୍କ ସହ ଏକାଧିକ ରାଜନେତା ଏହାକୁ ଉଦଘାଟନ କରିଥିଲେ। ମିଶନ ଶକ୍ତି ପକ୍ଷରୁ ଏହାରୁ ପରିଚାଳନା କରାଯାଉଥିଲା। ମାର୍କେଟିଂ ଦାୟିତ୍ବ ମଧ୍ୟ ରଖାଯାଇଥିଲା କିନ୍ତୁ ଧୀରେ ଧୀରେ ପାଣିର ସମସ୍ୟା ହେବାରୁ ଦିନ ଦିନ ଖରାପ ହେବାରୁ ଏହାକୁ ମାସେ ଚାଲିବା ପରେ ବନ୍ଦ ହୋଇଗଲା। ଏହାପରେ ପାଣିର ବ୍ୟବସ୍ଥା କରାଯାଇ ସେଠାରେ ପୁଣିଥରେ ଇଟା ଉତ୍ପାଦନ ହେଲା। କିନ୍ତୁ ପୂର୍ବରୁ ଯେଉଁ ଗୁଣବତ୍ତା ଏହାକୁ ରଖିପାରିଲାନି । ପରେ ଶ୍ରମିକଙ୍କୁ ଅର୍ଥ ଦିଆଯାଇପାରିଲାନି। ପରେ ଏହା ବନ୍ଦ ହୋଇପଡିଲା, ଯେ ଉଠିପାରିଲାନି। ପରେ ଦୀର୍ଘ ଦିନ ଧରି ବନ୍ଦ ପଡିଥିଲା। କରୋନା ପରେ ଏହାକୁ ମରାମତି କରାଗଲା। ଦୁଇଟି ପମ୍ପ ଖୋଳାଯିବା ପରେ ପାଣିର ଅସୁବିଧା ନାହିଁ। କିନ୍ତୁ ତିଆରି ହୋଇଥିବା କୋରାପୁଟିଆ ବ୍ରାଣ୍ଡ ମାଟିରେ ମିଶିଗଲା।

ଏହିଠାରେ କାମ କରୁଥିବା ଲୋକେ ବାହାରେ ଯାଇ ସିମେଣ୍ଟ ଇଟା ତିଆରି ପ୍ରକଳ୍ପ ଆରମ୍ଭ କଲେ। ସେମାନେ ଏହି ପ୍ରକଳ୍ପରୁ ଶିକ୍ଷା କରି ଲୋକଙ୍କୁ ନେଇ ମାର୍କେଟିଂ କରି ଇଟା ବିକ୍ରି କରି ବଜାରରେ ଛାଇ ଗଲେଣି। ସରକାରୀ ପ୍ରଚେଷ୍ଟା ହୋଇଥିବା ପ୍ରକଳ୍ପ କିନ୍ତୁ ମାଟି ହୋଇଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ବାସିନ୍ଦା ସୁସାନ୍ତ ମିଶ୍ର କହିଛନ୍ତି ଯେ ଲକ୍ଷାଧିକ ଟଙ୍କାର ପ୍ରକଳ୍ପକୁ କାମରେ ଲଗେଇ ପାରିଲେନି। ଆରମ୍ଭ ହୋଇଥିବା ପ୍ରକଳ୍ପ ପରିଚାଳନା କରି ନ ପାରିବାରୁ ବଜାରରୁ ହଜିଗଲା କୋରାପୁଟିଆ ସିମେଣ୍ଟ ଇଟା। କୋରାପୁଟ କଫି ପୂର୍ବରୁ ଏହା ନାମ କରିବାକୁ ରହିଥିବାରୁ କୋରାପୁଟ ପ୍ରଶାସନର ଅବହେଳା ହେତୁ ଏବେ ମାଟିରେ ମିଶିଛି ବୋଲି ସେ କହିଛନ୍ତି। ଏନେଇ ବୁଦ୍ଧିଜୀବୀ ଅସିତ ପଣ୍ଡା କହିଛନ୍ତି ଯେ ସିମେଣ୍ଟ ଇଟା ଶିଳ୍ପ ହେଉଛି ଏକ ହାତୀ ପରି।

ଯେମିତି ହାତୀଟିଏ ଥରେ ବସିଲେ ଉଠି ପାରେ ନାହିଁ ସେହିପରି ଏହି ଶିଳ୍ପର ଅବସ୍ଥା ତାହା ହିଁ ହେଲା। ଥରେ ବସିଲା ଯେ ଆଉ ଉଠିପାରୁନାହିଁ। ଫଳରେ ସରକାର ଏଥିପାଇଁ ଖର୍ଚ୍ଚ କରିଥିବା ଲକ୍ଷାଧିକ ଟଙ୍କା ମାଟି ହେବାକୁ ବସିଲାଣି । ଏହାକୁ ତୁରନ୍ତ ପୁନଃରୁଦ୍ଧାର କରାଯାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସେ କହିଛନ୍ତି। ଏନେଇ ମଶିନ ଶକ୍ତିର ବରିଷ୍ଠ ଅଧିକାରୀ ଜୟକ୍ରୀଷ୍ଣା ମହାପାତ୍ର କହିଛନ୍ତି ଯେ କରୋନାର ପ୍ରଥମ ଲହର ପରେ ପରେ ଏହାକୁ ପୁନଃରୁଦ୍ଧାର କରାଯାଇଥିଲା। ଏହାକୁ ପୁନଃକାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ହେଉଥିବାବେଳେ ପୁଣି କରୋନାର ଦ୍ବିତୀୟ ଲହର ମାଡ କଲା। ଏହାକୁ କିପରି କାର୍ଯ୍ୟକ୍ଷମ କରାଯିବ ସେନେଇ ବ୍ୟବସ୍ତା ଗ୍ରହଣ କରାଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର