ରାଉରକେଲା: ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲା ଏଜିଏମ୍ ରଞ୍ଜନ କୁମାର ପଟେଲଙ୍କୁ ମହଙ୍ଗା ପଡିଛି। ପରିଚାଳନା ବୋର୍ଡ ବୈଠକ ନିଷ୍ପତ୍ତି ପରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି। କେବଳ ଏତିକି ନୁହେଁ ତାଙ୍କ ପତ୍ନୀ କନକ ପଟେଲଙ୍କ ପଦୋନ୍ନତିକୁ ପ୍ରତ୍ୟାହାର କରି ନିଆଯାଇଛି। ତାଙ୍କୁ ମ୍ୟାନେଜରରୁ ଆସିଷ୍ଟାଣ୍ଟ ମ୍ୟାନେଜର କରାଯାଇଛି। ପରିଚାଳନା ବୋର୍ଡର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରଞ୍ଜନ ପଟେଲ ନିଜ କ୍ଷମତାର ଦୁରୁପଯୋଗ କରି ପତିପତ୍ନୀଙ୍କ ବକେୟା ଦରମା ୩୩.୨୨ ଲକ୍ଷ ଉଠାଇ ନେଇଥିଲେ। ସେଥିମଧ୍ୟରେ ରଞ୍ଜନ ପଟେଲଙ୍କ ଛୁଟି (ଇଏଲ) ବାବଦକୁ ୫ ଲକ୍ଷ, ବର୍ଦ୍ଧିତ ଦରମା (ଇଂକ୍ରିମେଣ୍ଟ) ୧୩ ଲକ୍ଷ, ପ୍ରୋତ୍ସାହନ ରାଶି (ଇନସେନଟିଭ୍) ୭୧ ହଜାର ଏବଂ ତାଙ୍କ ପତ୍ନୀ କନକ ପଟେଲଙ୍କ ଛୁଟି (ଇଏଲ) ବାବଦକୁ ୪.୪୫ ଲକ୍ଷ, ବର୍ଦ୍ଧିତ ଦରମା ୯.୫୨ ଲକ୍ଷ ଓ ପ୍ରୋତ୍ସାହନ ରାଶି ୪୮ ହଜାର ରହିଥିଲା। ତେବେ ଏସବୁ ବେନିୟମ କାର୍ଯ୍ୟକୁ ଅନୁମୋଦନ କରିଥିବା ବ୍ୟାଙ୍କର ଭାରପ୍ରାପ୍ତ କର୍ତ୍ତୃପକ୍ଷ ତଥା ସୁନ୍ଦରଗଡ଼ ସମବାୟ ଉପନିବନ୍ଧକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା ମହାସଂଘ।
ମହାସଂଘର ଅଭିଯୋଗ ଅନୁସାରେ, ଶ୍ରୀ ପଟେଲଙ୍କ ପଦୋନ୍ନତି ସମୟରେ ଓଡ଼ିଶା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ମାନବ ସମ୍ବଳ ନୀତି-୨୦୧୧ର ସମସ୍ତ ନିୟମ ଓ ଧାରାକୁ ଅଣଦେଖା କରାଯାଇଥିଲା। ଏହା ଛଡ଼ା ଶ୍ରୀ ପଟେଲଙ୍କ ପତ୍ନୀଙ୍କ ପଦୋନ୍ନତି ମଧ୍ୟ ବେଆଇନ ବୋଲି ମହାସଂଘ ଅଭିଯୋଗ କରିଥିଲା। ପତ୍ନୀ ଶ୍ରୀମତୀ ପଟେଲଙ୍କ ଯୋଗ୍ୟତା ଉପରେ ରାଜ୍ୟ ସମବାୟ ନିବନ୍ଧକ ଓ ବୈଷୟିକ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଥିଲା। ତାର କୌଣସି ଉତ୍ତର ଆସିବା ପୂର୍ବରୁ ତାଙ୍କୁ ତରବରିଆ ଭାବେ ପଦୋନ୍ନତି ଦିଆଯାଇଥିଲା। ଅନ୍ୟପଟେ ଭାରପ୍ରାପ୍ତ ବ୍ୟାଙ୍କ ସିଇଓ ଭାବେ ଶ୍ରୀ ପଟେଲଙ୍କ ସ୍ବଳ୍ପ ସମୟର କାର୍ଯ୍ୟକାଳ ମଧ୍ୟରେ ନିଜସ୍ବ ନିଯୁକ୍ତି ଓ ବ୍ୟାଙ୍କକୁ ପୁନଃ ଋଣ ପ୍ରଦାନ ପ୍ରସଙ୍ଗ ଉପରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହ ଲାଗିଥିବା ବିବାଦ ବିଷୟ ସେ ନିଜେ ଅବଗତ ଥାଇ ମଧ୍ୟ ୧୭ କୋଟି ଟଙ୍କାର ଦଣ୍ଡ ସୁଧ ପ୍ରଦାନ କରି ବ୍ୟାଙ୍କକୁ କ୍ଷତିରେ ପକାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/7-26.jpg)