ଲୋକସଂପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକଙ୍କ ବାଲେଶ୍ବର ଗସ୍ତ, କାଗଜପତ୍ର ଯାଞ୍ଚ୍‌ ସହ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବାରୋପ

ବାଲେଶ୍ୱର: ଲୋକସଂପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ(ଡିଆଇପିଆର୍‌ଓ) ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ୍‌ କରି ଏହାର କାର୍ଯ୍ୟକାରିତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ ଅସୁବିଧା ମଧ୍ୟରେ ଚାଲୁଥିବା ନେଇ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଅନୁଭବ କରିଥିଲେ। ଜିଲ୍ଲାର ଜଳେଶ୍ବର, ସିମୁଳିଆ, ନୀଳଗିରି ଓ ସଦରରେ ଚାଲୁଥିବା ସୂଚନା କେନ୍ଦ୍ର ଓ ପାଠାଗାର ଗୁଡ଼ିକର କର୍ମଚାରୀ ଅଭାବଜନିତ ସମସ୍ୟା ବାବଦରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଉପନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ।

ବିନା ଅପରେଟରରେ ଜିଲ୍ଲାରେ ନିୟମିତ ହେଉଥିବା କାର୍ଯ୍ୟକ୍ରମ, ସଭାସମିତି, ପ୍ରଚାର, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟ ନିମନ୍ତେ ଉପୁଜୁଥିବା ସମସ୍ୟା ଜିଲ୍ଲା ଅଧିକାରୀ ଶ୍ରୀ ଭୂୟାଁ ଶ୍ରୀ ନାୟକଙ୍କୁ ଜଣାଇଥିଲେ। ଜିଲ୍ଲାରେ ଓଡ଼ିଆରେ ‘ସମ୍ବାଦ’ ପ୍ରେରଣ ପାଇଁ ନିହାତି ଜଣେ ଓଡ଼ିଆ ଡିଟିପି ଜାଣିଥିବା କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ଶ୍ରୀ ଭୂୟାଁ ଦାବି ଜଣାଇଥିଲେ। ଅପରାହ୍ନରେ ଶ୍ରୀ ନାୟକ ସିନେମା ଛକରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି ପାଠକପାଠିକା ତଥା ଖବର କାଗଜ ଓ ପତ୍ରପତ୍ରିକା ବାବଦରେ ଅବଗତ ହୋଇଥିଲେ। ସମସ୍ୟା ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତପକ୍ଷଙ୍କ ଦୃଷ୍ଟିକୁ ଆକର୍ଷଣ କରି ଏହାର ସମାଧାନ କରିବା ପାଇଁ ସେ ଯଥାସାଧ୍ୟ ପ୍ରଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭୂୟାଁଙ୍କ ସହ କାର୍ଯ୍ୟାଳୟର କର୍ମଚାରୀ ଚିତ୍ତରଞ୍ଜନ ଦାସ, ରାହୁଲ୍ କୁମାର ସିଂ, ସତ୍ୟସାଗର ମଣ୍ଡଳ, ନୀଳଗିରିର ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ, କାର୍ତ୍ତିକ ବେହେରା, ପାଠାଗାର କର୍ମଚାରୀ ସୁଚିଶ୍ମିତା ପରିଡ଼ା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର