ଖୋର୍ଦ୍ଧା: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡିସି) ସୁରେଶ ଚନ୍ଦ୍ର ଦଳାଇ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଗସ୍ତ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ପୂର୍ବାହ୍ଣରେ ରାଜସ୍ବ ଆୟୁକ୍ତ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୪ ଘଣ୍ଟା ରହି ବିଭିନ୍ନ ବିଭାଗର ସମୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ବୈଠକରେ ସମସ୍ତ ବିଭାଗର ଅଗ୍ରଗତି, ବିଭାଗୀୟ କର୍ମଚାରୀଙ୍କ ସ୍ଥିତି, କାର୍ଯ୍ୟାନ୍ବୟନ ସ୍ଥିତି ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ଏହାପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିଥିଲେ। ସମୀକ୍ଷା ସମୟରେ ଜିଲ୍ଲାରେ ଚାଲିଥିବା ଇ-ଗଭର୍ଣ୍ଣାନ୍ସ, ଅଭିଯୋଗ ପ୍ରକୋଷ୍ଠ ଓ ସମାଧାନର ସ୍ଥିତି, ରାଜସ୍ବ ଆଦାୟ, ଆପତ୍କାଳୀନ ବିଭାଗ, ରେଡ୍କ୍ରସ ପାଣ୍ଠୀ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଅବକାରୀ ବିଭାଗ, ଆର୍ଟିଓ, ସଂସ୍କୃତି ବିଭାଗ ଆଦି ସମ୍ପର୍କରେ ବିଶେଷ ଗୁରୁତ୍ବ ଦେଇଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ମିଳିଥିବା ଅଭିଯୋଗଗୁଡ଼ିକର ସମୟାନୁସାରେ ସମାଧାନ ଓ ଆବେଦନକାରୀଙ୍କୁ ପ୍ରତ୍ୟୁତ୍ତର ଯେଭଳି ପ୍ରଦାନ କରାଯିବ ସେନେଇ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇ ରାଜସ୍ବ ଆୟୁକ୍ତ ଶ୍ରୀ ଦଳାଇ କହିଥିଲେ ଯେ ବେଗୁନିଆ ଆଦି ତହସିଲରେ ଖାଲିପଡ଼ିଥିବା ଉପନିବନ୍ଧକ, ତହସିଲଦାର ଓ ଅନ୍ୟ ରାଜସ୍ବ ବିଭାଗର ପଦବିଗୁଡ଼ିକୁ ପୂରଣ କରାଯିବ। ପୂର୍ବ ଅପେକ୍ଷା ଜମିଜମା ମ୍ୟୁଟେସନ୍ ମାମଲାଗୁଡ଼ିକର ସମାଧାନ ୭ ଦିନରୁ ୧୫ ମଧ୍ୟରେ ସମାଧାନ କରାଯିବାକୁ ନିଶ୍ଚିତ କରାଯାଇଛି। ଏହି ପ୍ରକ୍ରିୟା ଯେଭଳି ମନ୍ଥର ନହୁଏ ସେନେଇ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଏହା ସହ ନରଣଗଡ଼, ଜଟଣୀ ସମେତ ଅନ୍ୟାନ୍ୟ ସ୍ଥାନରେ ଜମିଜମା ମାମଲା, ଶ୍ରୀଜଗନ୍ନାଥଙ୍କ ଜମିର ମାଲିକାନାସତ୍ବ, ସାରୁଅ ଜମିର ଓଏଲ୍ଆର ଅଭିଯୋଗ ଆଦିର ଅନୁଶୀଳ କରି ଉଚ୍ଚସ୍ତରୀୟ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଏହା ସହ ଆଗାମୀ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭୋଟର ତାଲିକା ସଂଶୋଧନ, ଇଭିଏମ୍ର ପରୀକ୍ଷା ଓ ସଂରକ୍ଷଣ ଆଦି ସନ୍ତୋଷଜନକ ରହିଛି ବୋଲି ରାଜସ୍ବ ଆୟୁକ୍ତ କହିଛନ୍ତି।
ଆଜିର ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖଙ୍କ ସହ ଅନ୍ୟ ଡେପୁଟି କଲକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।