ଲକ୍ଷ୍ୟଠୁ ବହୁ ଦୂରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ‘ନିଧି’ ଯୋଜନା

୯୧୭ ବଦଳରେ ପାଇଛନ୍ତି ୧୬୦ ; ଯୋଜନା ସଂପର୍କରେ ଅଜ୍ଞ ସହରର ଉଠାଦୋକାନୀ

ରାୟଗଡ଼ା : ଲକଡାଉନ୍ ସମୟରେ ଜୀବିକା ହରାଇଥିବା ଉଠାଦୋକାନୀଙ୍କୁ ସ୍ବାବଲମ୍ବୀ କରିବାକୁ  କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ‘ନିଧି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାୟଗଡ଼ା ସହରାଞ୍ଚଳର ଉଠାଦୋକାନୀଙ୍କୁ ଯୋଜନାରେ ସାମିଲ୍ କରି ୧୦ ହଜାର ଟଙ୍କାର ଋଣ ପ୍ରଦାନ ସହ ରିହାତି ଓ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ଯୋଜନା ସଂପର୍କରେ ସହରର ଉଠାଦୋକାନୀ ଅବଗତ ନଥିବାରୁ ଯୋଜନାର ସୁଫଳ ହିତାଧିକାରୀଙ୍କୁ ମିଳିପାରୁନି।

ରାୟଗଡ଼ା ସହରର ୨୪ଟି ୱାର୍ଡରେ ୯୧୭ଟି ଉଠାଦୋକାନ ରହିଛି। ଏହି ସମସ୍ତ ଉଠାଦୋକାନୀ ପ୍ରମୁଖ ସାହି ରାସ୍ତା ଓ ବଜାର ଉପରେ ନିଜର ବ୍ୟବସାୟୀ କରିଥାନ୍ତି। କିଛି ବ୍ୟବସାୟୀ ଗାଁରୁ ଆସି ନିଜର ଉତ୍ପାଦକ ସାମଗ୍ରୀ ବିକ୍ରି କରିବା ପରେ ଘରକୁ ଫେରି ଯାଇଥାନ୍ତି। ୨୦୨୦ ମାର୍ଚ୍ଚ ମାସରେ ଓଡ଼ିଶାକୁ କରୋନା ଛୁଇଁବା ପରେ ମୁକାବିଲା ପାଇଁ ସରକାର ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିଥିଲେ। ଫଳରେ ରାୟଗଡ଼ା ସହରର ୯୧୭ ଉଠାଦୋକାନୀ ସେମାନଙ୍କ ଜୀବିକା ହରାଇଥିଲେ। ଏପ୍ରିଲ୍ ଓ ମେ’ ମାସରେ ବଜାର ସଂପୂର୍ଣ୍ଣ ଲକଡାଉନ୍ ରହିବା ଯୋଗୁ ପରିବାର ଚଳାଇବା ସହ ପେଟକୁ ଦାନା ଯୋଗାଡ଼ କରିବା ଉଠାଦୋକାନୀଙ୍କ ପାଇଁ ମୁସ୍କିଲ୍ ହୋଇ ପଡ଼ିଥିଲା। ଫଳରେ ୨୦୨୦ ଜୁନରେ କେନ୍ଦ୍ର ସରକାର ଉଠାଦୋକାନୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ‘ନିଧି’ ଯୋଜନା ଆରମ୍ଭ କରିଥିଲେ। ପୌର ପରିଷଦ ଦ୍ବାରା ପଞ୍ଜିକୃତ ୯୧୭ ଉଠାଦୋକାନୀଙ୍କୁ ବ୍ୟାଙ୍କ ଜରିଆରେ ୧୦ ହଜାର ଋଣ ପ୍ରଦାନ ସହ ମାସିକ ୯୪୬ ଟଙ୍କା କିସ୍ତି ଦ୍ବାରା ୧୨ ମାସରେ ଋଣ ପରିଷୋଧ କରିବାର ନିୟମ ରହିଛି। ଠିକ୍ ସମୟରେ ଋଣ ପରିଷୋଧ କଲେ ୪୦୨ ଟଙ୍କାର ରିହାତି ସହିତ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ଋଣ ନେଇଥିବା ଉଠାଦୋକାନୀ ପ୍ରତି ମାସରେ ଗୁଗୁଲ୍ ପେ କିମ୍ବା ଫୋନ୍ ପେ ମାଧ୍ୟମରେ ୭୫ଟି ଦେଣନେଣ କଲେ ୧୨୦୦ ଟଙ୍କାର କ୍ୟାସ୍ ବ୍ୟାକ୍ ଅଫର୍ ମଧ୍ୟ ରହିଛି। କିନ୍ତୁ ପରିତାପର ବିଷୟ ବହୁ ଉଠାଦୋକାନୀ ସରକାରଙ୍କ ଏହି ଯୋଜନା ସଂପର୍କରେ ଅବଗତ ନଥିବା ଯୋଗୁ ଗତ ୮ ମାସରେ ମାତ୍ର ୩୫୦ ଉଠାଦୋକାନୀ ଋଣ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୧୯୭ ଦୋକାନୀ ଋଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୧୬୦ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି। ସିବିଲ୍ ସ୍କୋର ଖରାପ ଏବଂ ବ୍ୟାଙ୍କ କାଗଜପତ୍ର ସମସ୍ୟା ଯୋଗୁ ୨୦ରୁ ଉର୍ଧ୍ବ ଉଠାଦୋକାନୀଙ୍କ ଆବେଦନ ଖାରଜ ହୋଇଛି। ଜନ ସେବା କେନ୍ଦ୍ର କିମ୍ବା ପୌର ପରିଷଦ କାର୍ଯ୍ୟାଳୟକୁ ଆସି ଅନଲାଇନ୍ ଜରିଆରେ ଋଣ ଆବେଦନ କରିବାର ନିୟମ ରହିଛି। ହେଲେ ବ୍ୟବସାୟ ପରେ ବହୁ ଉଠାଦୋକାନୀ ସିଧା ଘରମୁହାଁ ହେଉଥିବା ବେଳେ କିଛି ଉଠା ଦୋକାନୀ ୧୦ ହଜାର ଟଙ୍କା ଋଣ ନେବା ପାଇଁ ଚାହୁଁନାହାନ୍ତି। ଅଶିକ୍ଷିତ ଉଠାଦୋକାନୀ ଅନଲାଇନ୍ ପ୍ରକ୍ରିୟା ଯୋଗୁ ଋଣ ଆବେଦନ କରିପାରୁନଥିବା ବେଳେ ଏ ଦିଗରେ ପୌର ପରିଷଦ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ଠୋସ୍ ପଦକ୍ଷେପ ନେଉନଥିବାରୁ ରାୟଗଡ଼ାରେ ଲକ୍ଷ୍ୟଠୁ ବହୁ ଦୂରରେ ରହିଯାଇଛି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ନିଧି ଯୋଜନା। ଏବେ ବି ଶହ ଶହ ଉଠାଦୋକାନୀ ସରକାରୀ ସହାୟତା ଓ ଋଣ ଅପେକ୍ଷାରେ ରହିଛନ୍ତି। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ତୃଣମୂଳସ୍ତରରେ ଯୋଜନା ସଂପର୍କରେ ପ୍ରକୃତ ହିତାଧିକାରୀ ଜାଣିପାରୁନାହାନ୍ତି। ଏ ସଂପର୍କରେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ମୁଖ୍ୟ ପ୍ରଭଞ୍ଜନ ସ୍ବାଇଁଙ୍କୁ ପଚାରିବାରୁ ପଞ୍ଜିକୃତ ଥିବା ଉଠାଦୋକାନୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ବିଭିନ୍ନ ସମସ୍ୟା ଯୋଗୁ ଋଣ ପ୍ରଦାନ ପ୍ରକ୍ରିୟା ଧିମେଇଛି। ଠିକ୍ ସମୟ ମଧ୍ୟରେ ସମସ୍ତଙ୍କୁ ଋଣ ପ୍ରଦାନ ଦିଗରେ ଚେଷ୍ଟା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର