ଜୟପୁର: ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁରରେ କେବେ ଆରମ୍ଭ ହେବ ତାହାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ। କରୋନା ନାଁରେ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗକୁ ସବୁ ଗୌଣ କରି ଦେଇଛନ୍ତି କି ବୋଲି ଆଲୋଚନା ହେଉଛି। କେନ୍ଦ୍ରରେ ଏବେ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ହେବା ପରେ ସହରବାସୀଙ୍କ ଆଶା ଟିକେ ବଢ଼ିଛି। ଗତ ସାଢ଼େ ୨ବର୍ଷ ହେବ କେତେ ଜମି ଦିଆଯିବ ସେ ପ୍ରସଙ୍ଗରେ ବିଦ୍ୟାଳୟର ଭାଗ୍ୟ ଲଟକି ରହିଥିଲା। ପ୍ରଥମେ ନିଷ୍ପତି ହୋଇଥିବା ୧୦ଏକର ବଦଳରେ ଏବେ ୮ଏକର ଦିଆଯିବ ବୋଲି ସରକାର ଓ ପ୍ରଶାସନ ନିଷ୍ପତି ନେଇଥିଲେ। ଅସ୍ଥାୟୀ ଅନ୍ବେଷା କ୍ୟାମ୍ପସରେ ବିଦ୍ୟାଳୟ ଆରମ୍ଭ କରିବାକୁ ବି ଯୋଜନା ହୋଇଥିଲା। ତେବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବିଶେଷଜ୍ଞ ଦଳ ଆସି ଜମିରେ ଥିବା ୮ଟି ୧୧କେଭି ବିଦ୍ୟୁତ ଖୁଣ୍ଟ ସଂପୁର୍ଣ୍ଣ ରୁପେ ଉଛେଦ ସହ ଜବରଦଖଲ ହୋଇ ଚାଷ କରାଯାଇଥିବା ଜମିରୁ ଜବରଦଖଲ ହଟାଇବା, ନୂଆ ରାସ୍ତା ନିର୍ମାଣ ସହ ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଭଳି ମୌଳିକ ଆବଶ୍ୟକତା ପୁରଣ କରି ଜମି ଦେବାକୁ କୁହାଯାଇଥିଲା।
ଏହି ବୈଷୟିକ ଦଳ ଆସି ଯିବାର ୬ ମାସ ପରେ ବି ପ୍ରଶାସନ ପକ୍ଷରୁ କେବଳ ଜବରଦଖଲ ମୁକ୍ତ କରିବା ପାଇଁ ତାରବାଡ଼ ବୁଣା ହିଁ ଆରମ୍ଭ ହୋଇଛି। ଜମି ସଂପୁର୍ଣ୍ଣ ରୁପେ ଜବରଦଖଲ ମୁକ୍ତ ଓ ବିଦ୍ୟୁତଖୁଣ୍ଟ ହଟାଇଲେ ଜମି ନିଜ ଅଧିନକୁ ନେବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପୁରା ପ୍ରସ୍ତୁତ ରହିଛି ବୋଲି କହିଛନ୍ତି କେଭି ସଂଗଠନର ପ୍ରତିନିଧି ଅନନ୍ତ ମେହେର। ଜମି ମିଳିବା ପରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠପଢ଼ା ପ୍ରଶାସନ ଦେଇଥିବା ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ମେହେର। ଏହି ଜମିରେ କିଛି ବ୍ୟକ୍ତି ଜବରଦଖଲ କରି ଚାଷ କରିଛନ୍ତି। ଏମାନଙ୍କୁ ହଟାଇ ତାରବାଡ଼ ବୁଣା ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ବୋଲି କହିଛନ୍ତି ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ।
ଜମିରେ ରହିଥିବା ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ବି ବିଦ୍ୟୁତ ବିଭାଗକୁ ଚିଠି କରାଯାଇଛି । ଆଶା ରହିଥିଲା ଏହି ଶିକ୍ଷାବର୍ଷରେ ବିଦ୍ୟାଳୟ ଖୋଲିବ। କାହା ଭୁଲ ପାଇଁ ହୋଇପାରୁନି ଆମେ ଜାଣି ପାରୁନୁ। ତେବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ହେବା ପରେ ଆଶା ଉଜ୍ଜୀବିତ ହୋଇଛି ବୋଲି କହିଛନ୍ତି ଜୟପୁର ବିକାଶ ମଂଚର ସଂପାଦକ ନବକୃଷ୍ଣ ରଥ। ପିଲାଙ୍କ ମୌଳିକ ଅଧିକାର, ସହରବାସୀଙ୍କ ଦୀର୍ଘ ଦିନର ଦାବି ପୁରଣ କରିବାରେ ପ୍ରଶାସନ ଢ଼ିଲା ନ ହୋଇ ଏହା କିଭଳି ଶୀଘ୍ର ଆରମ୍ଭ ହେବ ସେ ଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏ ନେଇ ଅବଗତ କରିବା ସହ ତୁରନ୍ତ କିଭଳି ବିଦ୍ୟାଳୟ ସ୍ଥାପନ ହେବ ଆଲୋଚନା କରିଛୁ ବୋଲି ବୋଲି କହିଛନ୍ତି ବିଜେପି ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଗୌତମ ସାମନ୍ତରାୟ।