କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ : ୨୦୨୧-୨୨ ଶିକ୍ଷାବର୍ଷରେ ଆରମ୍ଭ ହେବ କି ?

ଜୟପୁର : ବହୁ ପ୍ରତୀକ୍ଷିତ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦିନକୁ ଦିନ ଘୁଂଚି ଘୁଂଚି ଯାଉଛି। ଜମି ପାଇଁ ବିଦ୍ୟାଳୟ ସ୍ଥାପନରେ ପ୍ରଥମେ ବାଧା ସୃଷ୍ଟି ହୋଇଥିବା ବେଳେ ଏବେ ଜମି ମଧ୍ୟରେ ଥିବା ବିଦ୍ୟୁତ ଖୁଣ୍ଟ ହଟାଇବା ପ୍ରମୁଖ ବାଧକ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ  ବିଭିନ୍ନ ବର୍ଗର ଲୋକେ ବିଦ୍ୟାଳୟ ଆରମ୍ଭ‌େ ହେଲେ ପିଲାଙ୍କୁ ଆଡମିସନ୍ କରିବାକୁ ବହୁ ଆ‌ଶା ନେଇ ଅପେକ୍ଷାରେ ରହିଛନ୍ତି। ୨୦୨୧-୨୨ଶିକ୍ଷାବର୍ଷରେ ଏହା ଆରମ୍ଭ ହେବ କି ନାହିଁ ଏହାକୁ ନେଇ ଏବେ ଅଂଚଳବାସୀଙ୍କ ମନରେ ବିରାଟ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ପରେ ସଂଗଠନର ବୈଷୟିକ ଟିମ୍ ଗତ ବର୍ଷକ ତଳେ ଗସ୍ତ କରି ଜଗନ୍ନାଥସାଗର ତଳ ପାର୍ଶ୍ବରେ ଥିବା ୮ଏକର ଜମିରୁ ୧୧/୩୩କେଭି ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ ହଟାଇବା, ପାନୀୟ ଜଳ ବ୍ୟବସ୍ଥା ସହ  ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରିବା, ଜମି ମଧ୍ୟରେ କରାଯାଉଥିବା ଚାଷକୁ ବନ୍ଦ କରାଇବା ଆଦି ପ୍ରସ୍ତାବ ରଖିଥିଲେ। ଏହାରି ମଧ୍ୟରେ ରାଜସ୍ବ ବିଭାଗର ୭ଲକ୍ଷ ଟଙ୍କା ବ୍ୟୟରେ ଏହି ୮ଏକର ଜମିର ଚାରି ପାର୍ଶ୍ବରେ ବାରବେଢ଼(ଲୁହାତାର) ଲଗାଯାଇଛି। ଏହା ସହ ରଂଗ ପତ୍ତାକା ବି ଲଗାଇଥିଲା।  ତେବେ କିଛି ଜବରଦଖଲକାରୀ ମାନେ ତାରା ବାଡ଼କୁ କାଟିବା ସହ ପତ୍ତାକାକୁ ବାହାର କରି ପିଙ୍ଗି ଦେଇଛନ୍ତି । ଏହା ପରିସରରେ ୩ସ୍ତରରେ ୧୧/୩୩କେଭିର ବିଦ୍ୟୁତ ଖୁଣ୍ଟ ରହିଥିଲା। ଅନ୍ୟ ପଟେ ଦୀର୍ଘ ବର୍ଷକ ପରେ ବି ୧୧/୩୩କେଭି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇ ପାରିନି। ତେବେ ପୂର୍ବଭଳି ହିଁ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ସେଭଳି ରହିଛି। ଅନ୍ୟ ପକ୍ଷରେ ଜିଲ୍ଲାପ୍ରଶାସନ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ଅନ୍ବେଷା ଛାତ୍ରାବାସକୁ କେନ୍ଦ୍ରୀୟ ବିଦ୍ୟାଳୟଭାବେ ବ୍ୟବହାର କରିବା ପାଇଁ ତାହାର ଅନୁସଙ୍ଗିକ ଭିତ୍ତିଭୁମିକୁ ସଜାଡ଼ି ପୁରା ପ୍ରସ୍ତୁତ କରି ରଖିଛନ୍ତି। ଗତ ଅକ୍ଟୋବର ୨୨ତାରିଖ ଦିନ ଜିଲ୍ଲାପାଳ  କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରଶାସନ ପକ୍ଷରୁ ଦେବାକୁ ଥିବା ୮ଏକର ଜମିର କାଗଜପତ୍ର ଓ ଏମୟୁ ସଂପୁର୍ଣ୍ଣ ରୁପେ ପ୍ରସ୍ତୁତ କରିବାକୁ ଉପଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଜମିରୁ ବିଦ୍ୟୁତ ଖୁଣ୍ଟ ହଟାଇ ଯୁଦ୍ଧକାଳୀନ ଭିତ୍ତିରେ ଏହି ଶିକ୍ଷାବର୍ଷରେ ହିଁ ଜମି ଓ ଅସ୍ଥାୟୀ ଶିକ୍ଷା କ୍ୟାମ୍ପସ୍ ଅନ୍ବେଷା ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ଚିଠି ଯୋଗେ ନିର୍ଦେଶ ଦେଇଛନ୍ତି। ଗୋଟିଏ ପାର୍ଶ୍ବର ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇ ସାରିଛି , ବଳକା ବିଦ୍ୟୁତ ଖୁଣ୍ଟ କେବେ ସ୍ଥାନାନ୍ତର ହେବ ତାହା ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ହିଁ ସ୍ପଷ୍ଟ ଉତ୍ତର ଦେଇ ପାରିବେ ବୋଲି କହିଛନ୍ତି ତହସିଲଦାର ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଟୁଲ୍ଲିଆମ୍ମା ପ୍ରଧାନ।

ଗୋଟିଏ ଧାଡ଼ିର ବିଦ୍ୟୁତ ଖୁଣ୍ଟ ହଟାଯାଇ ନୂଆ ବିଦ୍ୟୁତ ଖୁଣ୍ଟ ପୋତିବା କାମ ସରିଛି ବୋଲି କହିଛନ୍ତି ଟିପିଓଏସଡିଏଲର ନିର୍ବାହୀ ଯନ୍ତ୍ରୀ ଇଂ.ବସନ୍ତ କୁମାର ମହାପାତ୍ର।  ୧୧/୩୩କେଭିର ଏହି ଖୁଣ୍ଟ ଗୁଡ଼ିକ ଗ୍ରୀଡ଼ରୁ ସହରକୁ ବିଦ୍ୟୁତ ଆସିଥିବା ମୁଖ୍ୟ ଖୁଣ୍ଟ। ଏହାକୁ ସ୍ଥାନାନ୍ତର କରିବା ପୂର୍ବରୁ ଜିଲ୍ଲାପ୍ରଶାସନ ଅଧିନରେ ଥିବା ବିଦ୍ୟୁତ ନିରୀକ୍ଷକ ନୂଆ ବିଦ୍ୟୁତଖୁଣ୍ଟକୁ ଯାଂଚ କରି ‘ଓକେ’ ରିପୋର୍ଟ ଦେଲେ ଯାଇ ବଳକା ଖୁଣ୍ଟ ଗୁଡ଼ିକରୁ ତାର କଡ଼ାଯିବ। ଏହା ସହ ସଂପୁର୍ଣ୍ଣ ରୁପେ ବିଦ୍ୟୁତ ଖୁଣ୍ଟ ସେଠାରୁ ହଟାଯିବ। ଓ ଏହା ସହ ନୂଆ ଖୁଣ୍ଟରେ ଲାଗିଥିବା ବିଦ୍ୟୁତ ଚାର୍ଜ କରାଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ।  ଅନ୍ୟ ପକ୍ଷରେ ଜମି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ନ ମିଳିବା ପର୍ଯ୍ୟନ୍ତ ଅସ୍ଥାୟୀ କ୍ୟାମ୍ପସରେ ବିଦ୍ୟାଳୟ ଆରମ୍ଭ କରିବା ସମ୍ଭବ ପର ନୁହେଁ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିନିଧି ତଥା ସୁନାବେଡ଼ା କେଭିର ଅଧ୍ୟକ୍ଷ ଅନନ୍ତ ମେହେର କହିଛନ୍ତି । ଜମି ମିଳିଲେ ବିଦ୍ୟାଳୟ, କର୍ମଚାରୀଙ୍କ କ୍ବାଟର କାମ ତୁରନ୍ତ ଆରମ୍ଭ ହେବ। ଏବଂ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସରେ ଚାଳିବ ବୋଲି କହିଛନ୍ତି ଶ୍ରୀ ମେହେର।

ସମ୍ବନ୍ଧିତ ଖବର