ଜୟପୁର: ବିଭିନ୍ନ ସଂଗଠନ ପକ୍ଷରୁ ବହୁ ଆନ୍ଦୋଳନ, ଦାବି, ସାଂସଦ ସଂସଦରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ ବି ଉଠାଇଥିଲେ। ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ବି ଏ ନେଇ କେନ୍ଦ୍ରକୁ ଚିଠି କରିଥିଲେ। ତା ପରେ ଯାଇ ବିଦ୍ୟାଳୟ ସ୍ଥାପନ ପାଇଁ ସବୁଜ ସଂକେତ ମିଳିଥିଲା। ତେବେ ଏଥିପାଇଁ ଜମିର ପରିମାଣ ପ୍ରଥମେ ବାଧକ ହୋଇଥିଲା। ୧୦ ଏକର ଜମି ଦେବାକୁ ରାଜ୍ୟସରକାର ମନା କରିଥିଲେ। ୧୦ଏକର ବଦଳରେ ସରକାର ବିଦ୍ୟାଳୟ ସ୍ଥାପନ ପାଇଁ ୮ଏକର ଜମି ଦେବା ପାଇଁ ବି ସମ୍ମତ୍ତି ପ୍ରଦାନ କରିଥିଲେ। ଏହା ପରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବା ଆଶା ଉଜ୍ଜୀବିତ ହୋଇଥିଲା। ଏବେ ପୁଣି ଏହି ୮ଏକର ଜମି ମଧ୍ୟରେ ଥିବା ୮ଟି ବିଦ୍ୟୁତ ଖୁଣ୍ଟ ବାଧକ ସାଜିଛି। ଏହାକୁ ସ୍ଥାନାନ୍ତର କରିବା ପାଇଁ ଗୋଟାକୁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ। ତେବେ ଜିଲ୍ଲା ପ୍ରଶାସନ ଏହାକୁ ହଟାଇବା ପରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏହି ଜମିକୁ ଲିଜରେ ନେଇ ସ୍କୁଲ କୋଠା ଓ କର୍ମଚାରୀଙ୍କ କ୍ବାଟର ନିର୍ମାଣ କାମ ଆରମ୍ଭ କରିବ।
ଅନ୍ୟପକ୍ଷରେ ବିଦ୍ୟାଳୟ କୋଠା ନିର୍ମାଣ ସରିବା ପର୍ଯ୍ୟନ୍ତ ତଥା ଏହି ଶିକ୍ଷାବର୍ଷରୁ ଏହି ବିଦ୍ୟାଳୟ ଆରମ୍ଭ କରିବା ପାଇଁ ପ୍ରଶାସନ ପକ୍ଷରୁ ସରକାରୀ ଉଚ୍ଚବିଦ୍ୟାଳୟ ପାର୍ଶ୍ବରେ ଥିବା ଅନ୍ବେଷା ଛାତ୍ରାବାସକୁ ବିଦ୍ୟାଳୟ ପାଇଁ ଚୟନ କରିଛି। ତେବେ ଏହି ପୁରୁଣା କୋଠାକୁ ନୂଆ ରୁପ ଦେଇ ଅନୁସଙ୍ଗିକ ଭିତ୍ତିଭୁମି ସଜାଡିବା ପାଇଁ ୨୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଥିବା ଏବଂ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ବିଦ୍ୟାଳୟ କୋଠା ନିର୍ମାଣ ଜମିରେ ପାନୀୟ ଜଳଯୋଗାଣ, ରାସ୍ତା ଆଦିର ବ୍ୟବସ୍ଥା ବି କରିବାକୁ ପଡ଼ିବ। ତେବେ ଏସବୁ କରାଯିବାର ପ୍ରସ୍ତାବ ଓ ବ୍ୟୟବରାଦ ଜିଲ୍ଲାପାଳଙ୍କ ନିକଟକୁ ପଠା ସରିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ। ଏସବୁ କରିବା ପରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଜମି ଲିଜରେ ନେବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଜିଲ୍ଲାପ୍ରଶାସନ ବି ଏହି ଶିକ୍ଷାବର୍ଷରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ କରିବା ପାଇଁ ପୁରା ଦମରେ ପ୍ରୟାସ କରୁଛି ବୋଲି କହିଛନ୍ତି ଉପଜିଲ୍ଲାପାଳ।
ଗତ କିଛି ଦିନ ତଳେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିନିଧି ଦଳ ଆସି ବୁଲି ଯାଇଛନ୍ତି। ଜିଲ୍ଲାପାଳ ନିଜେ ବି ବ୍ୟକ୍ତିଗତ ଭାବେ ଏହି ବିଦ୍ୟାଳୟ ଆରମ୍ଭ କରିବା ପାଇଁ ପ୍ରୟାସ କରିବା ସହ ନିଜେ ତଦାରଖ ଓ କ୍ଷେତ୍ର ପରିଦର୍ଶନ କରି ସାରିଛନ୍ତି ବୋଲି କହିଛନ୍ତି ଉପଜିଲ୍ଲାପାଳ। ସହରବାସୀଙ୍କ ପ୍ରତୀକ୍ଷାର ଅନ୍ତ କେବେ ହେବ । ବିଦ୍ୟାଳୟ ଆରମ୍ଭ ପାଇଁ ଆଉ କେତେ ଦିନ ଲୋକଙ୍କୁ ଅପେକ୍ଷାକରିବାକୁ ପଡ଼ିବ ତାହାକୁ ନେଇ ପୁଣି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।