କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ୮ଏକର ଜମି ଆବେଦନପତ୍ରକୁ ଆରଡିସିଙ୍କ ଅନୁମୋଦନ

ଜମି ପ୍ରଦାନ ପାଇଁ ବୋର୍ଡ ଅଫ୍ ରେଭିନ୍ୟୁକୁ ଗଲା ଫାଇଲ୍  

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୮ଏକର ଜମି ପାଇଁ ଜୟପୁର ତହସିଲଦାରଙ୍କ ନିକଟରେ ଆବେଦନ ପତ୍ର ଦଖାଲ କରିଥିଲେ। ଏହି ଜମି ପ୍ରଦାନ କରିବାକୁ ଜୟପୁର ତହସିଲ ପକ୍ଷରୁ ବ୍ରହ୍ମପୁର ଦକ୍ଷିଣାଂଚଳ ରାଜସ୍ବ କମିଶନରଙ୍କ ନିକଟକୁ ଅନୁମୋଦନ ପାଇଁ ପ୍ରସ୍ତାବ ଯାଇଥିଲା। ଏହି ଫାଇଲ୍ ଦୀର୍ଘ ୨ମାସ ଧରି ସେଠାରେ ସେଭଳି ପଡ଼ି ରହିଥିଲା। ଏବେ ଏହି ଫାଇଲକୁ ଆରଡିସି ଅନୁମୋନ କରିଛନ୍ତି। ଜମି ପ୍ରଦାନ କରିବା ଅନୁମତି ଦେବା ପାଇଁ ରାଜ୍ୟ ରାଜସ୍ବ ବୋର୍ଡକୁ ଫାଇଲ୍ ଯାଇଥିବା ସୂଚନା ମିଳିଛି। ଆଜି ଏହି ଚିଠି ଆରଡିସିଙ୍କ ସଚିବ ସୂଜାତା ସାହୁ ବୋର୍ଡ ଅଫ୍ ରେଭିନ୍ୟୁକୁ ପଠାଇଛନ୍ତି। ସେଠାରୁ ଅନୁମତି ପତ୍ର ଅନୁମୋଦିତ ହୋଇ ଆସିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଏହି ଜମି ହସ୍ତାନ୍ତର କରାଯିବ।

ପ୍ରକାଶଯୋଗ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜୟପୁରରେ ବିଦ୍ୟାଳୟ ଆରମ୍ଭ କରିବାକୁ ପ୍ରଥମେ ୧୦ଏକରର ଜମି ମାଗିବା ସହ ଜମି ଗ୍ଲୋକାଲ ହସପିଟାଲ ପଛରେ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରେ ଏହି ପ୍ରସ୍ତାବର ଫାଇଲର ପଦ୍ମ ଘୁଛିଂ ନଥିଲା। ପରେ ସହରାଂଚଳରେ ୧୦ଏକର ଜମି ଦେଇ ହେବ ନାହିଁ ବୋଲି ଜିଲ୍ଲାପ୍ରଶାସନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଜଣାଇଥିଲେ। ପୁଣି‌ ନୂଆରେ ୮ଏକର ପାଇଁ ଆବେଦନକରିବାକୁ କୁହାଯାଇଥିଲା। ସେହି କ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିନିଧି ସୁନାବେଡା କେଭିର ଅଧ୍ୟକ୍ଷ ଅନନ୍ତ ମେହର ପୁଣିଥରେ ଆବେଦନ କରିଥିଲେ।

ଆବେଦନର ଦୀର୍ଘ ୨ମାସ ଆରଡିସି କାର୍ଯ୍ୟାଳୟରେ ଫାଇଲ୍ ପଡ଼ି ରହିଥିଲା। ଏହାକୁ ନେଇ ସହରର ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକାଶ କରିଥିଲେ। ତେବେ ଏହି ୮ଏକର ଜମି ପାଇଁ ଆରଡିସି ସ୍ତରରେ ଅନୁମୋଦିତ ହୋଇ ବୋର୍ଡ ଅଫ ରେଭିନ୍ୟୁକୁ ଯିବା ଜୟପୁର ସହର ପାଇଁ ଶୁଭ ସୂଚନା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ବୋର୍ଡ ଅଫ୍ ରେଭିନ୍ୟୁରେ  କିଭଳି ତୁରନ୍ତ ଏହି ପ୍ରସ୍ତାବ ଅନୁମୋଦିତ ହେବା ସହ ଜମି ପ୍ରଦାନ ପାଇଁ ଅନୁମତି ମିଳିବ ସେ ଦିଗରେ ଜନପ୍ରତିନିଧି, ଦଳମତ ନିର୍ବିଶେଷରେ ସବୁ ପ୍ରୟାସ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର