ପ୍ରକାଶ ପାଇଲା ସିବିଏସ୍‍ଇ ପରୀକ୍ଷା ପରୀକ୍ଷାଫଳ: ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ରାୟଗଡା: ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଚଳିତ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି। ଆଜି ସିବିଏସ୍‍ଇ ଦ୍ୱାରା ପରିଚଳିତ ଦଶମ ଓ ଯୁକ୍ତ ୨ର ପରୀକ୍ଷାଫଳ ପ୍ରକାଶ ପାଇଛି। ତେବେ ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ୪୦ଜଣ ବିଦ୍ୟାର୍ଥୀ ଚଳିତ ଦଶମ ପରୀକ୍ଷା ଦେଇଥିବାବେଳେ ସମସ୍ତ ୪୦ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏ. ରୋହନ ସର୍ବାଧିକ ୯୨ପ୍ରତିଶତ ମାର୍କ ଆଣି ଶିକ୍ଷାନୁଷ୍ଠାନର ଟପ୍ପର ହୋଇଥିବା ଜଣାଯାଇଛି। ସେହିପରି ମୋଟ ୨୧ଜଣ ଶିକ୍ଷାର୍ଥୀ ୬୦ରୁ ଉର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ ହୋଇଛନ୍ତି। ଅନୁରୂପ ଦ୍ୱାଦଶ ଶ୍ରେଣୀରେ ମୋଟ ୧୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ମୋଟ ୮୨ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୯୦ପ୍ରତିଶତରୁ ଉର୍ଦ୍ଧ୍ୱ ପବନ ପଟ୍ଟନାୟକ, ଇପିଲି ସ୍ୱାତୀ, ଆକାଙ୍ଖିକା ଖାଡଙ୍ଗା ଓ ଶୈଳଶ୍ରୀ ପରିଡା ମାର୍କ ରଖି ପାସ ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ଅଭିଭାବକ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରି ସର୍ବାଧିକ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ପାସ କରିଥିବାରୁ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଅଭିଭାବକମାନେ ଶ୍ରେୟ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ପରିଚାଳନା ମଣ୍ଡଳୀଙ୍କ ଅହରହ ଉଦ୍ୟମ ଏବଂ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହଯୋଗ କ୍ରମେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଭଲମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ସେଞ୍ଚୁରିଅନ ପବ୍ଲିକ ସ୍କୁଲ ନିର୍ଦ୍ଦେଶକ ରାଜେଶ ପାଢୀ ପ୍ରକାଶ କରିଛନ୍ତି। ଏଥି ସହିତ ଭଲଅଙ୍କ ରଖି ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପାଢୀ ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଭବିଷ୍ୟତରେ ଅନୁରୂପ କଠିନ ପରିଶ୍ରମ କରି ପେଶାଦାର ଓ ବ୍ୟକ୍ତିଗତ ଜୀବନରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି।

ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା ପାଇଁ ସମୂର୍ଣ୍ଣ ଶ୍ରେୟ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ ରହିଛି । ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ ପାଢୀଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପାଠ୍ୟଖସଡା ସହ ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିକ୍ଷା ପ୍ରଦାନ ଫଳରେ ଏହି ସଫଳତା ଶିକ୍ଷାନୁଷ୍ଠାନ ହାସଲ କରିପାରିଛି। କୌଶଳ ଭିତ୍ତିକ ଶିକ୍ଷା ପାଇଁ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ସବୁବେଳେ ପ୍ରଚେଷ୍ଟାରତ।ତେଣୁ ଆଗାମୀ ଦିନରେ ମଧ୍ୟ ନୂତନ ଶିକ୍ଷା ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଡାଟା ସାଇନ୍ସ,ଏଆ.ଇ, ମେସିନ ଲର୍ଣ୍ଣିଙ୍ଗ ଭଳି ପାଠ୍ୟକ୍ରମ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର