ବିହାରୀ ସମ୍ପ୍ରଦାୟଙ୍କ ଗଣପର୍ବ ଛଠ୍ ପର୍ବ ପାଳିତ, ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

ବାରିପଦା: ବାରିପଦା ପୌରପରିଷଦରେ ବିହାରୀ ସମ୍ପ୍ରଦାୟ ପକ୍ଷରୁ ସେମାନଙ୍କର ଗଣପର୍ବ ଛଠ୍ ମହୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଆଜି ବ୍ରତଧାରୀମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅତ୍ୟନ୍ତ ନିଷ୍ଠା, ଭକ୍ତି ଏବଂ ପାରମ୍ପରିକ ବିଧିବିଧାନ ଅନୁସାରେ ପୂଜା କରିବା ସହିତ ଅର୍ଘ୍ୟ ଅର୍ପଣ କରିଥିଲେ। ପର୍ବର ପ୍ରଥମ ଦିବସରେ ନାହାୟ ଖାଏକଦୁ ଭାତ୍, ଦ୍ୱିତୀୟ ଦିନରେ ଖରନା, ତୃତୀୟ ଦିବସରେ ଉପବାସ ରହି ନଦୀରେ ସ୍ନାନ ପରେ ଧୂପଦୀପ, ଭୋଗରାଗ, ନୈବେଦ୍ୟ ଅର୍ପଣ ସହ ପୂଜାର୍ଚ୍ଚନା ଶେଷ କରିବା ପରେ ବ୍ରତୀମାନେ ଅସ୍ତାଚଳ ଶିଖରରେ ରହିଥିବା ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ ଏବଂ ଚତୁର୍ଥ ଦିବସ ଅର୍ଥାତ ସପ୍ତମୀ ତିଥିରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପୂର୍ବକ ବ୍ରତୀମାନେ ପାରାନ୍ ନୀତି ସମ୍ପାଦନ ପୂର୍ବକ ପୂଜାନୀତି ଶେଷ କରିଥାନ୍ତି ।

ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଛଠ୍ ପୂଜା ପାଳନ କଲେ ବ୍ରତଧାରୀଙ୍କ ମାନସିକ ପୂର୍ଣ୍ଣ ହେବା ସାଙ୍ଗକୁ ପରିବାରରେ ମଙ୍ଗଳ, ସୁଖ ସମୃଦ୍ଧି, ଯଶଖ୍ୟାତି ବୃଦ୍ଧି ହେବାର ବିଶ୍ୱାସ ରହିଆସିଛି। ଧାର୍ମିକ ଗ୍ରନ୍ଥ ପୁରାଣ ବର୍ଣ୍ଣନା ଅନୁସାରେ ସତ୍ୟ ଯୁଗରେ ସୁକନ୍ୟା ଏବଂ ମହାଭାରତରେ ବର୍ଣ୍ଣନା ଅନୁସାରେ ଦ୍ୱାପର ଯୁଗରେ ଦ୍ରୌପଦୀ ସୂର୍ଯ୍ୟପୂଜା କରୁଥିବାର ଉଲ୍ଲେଖ ରହିଛି । ବାରିପଦା ପୌରପରିଷଦରେ ବସବାସ କରୁଥିବା ଉତ୍ତର ଭାରତୀୟ ଏବଂ ବିହାରୀ ସମ୍ପ୍ରଦାୟ ମଧ୍ୟରେ ଏହି ଛଠ୍(ଛଠୀ ମୈୟା)ଙ୍କ ପୂଜାକୁ ନେଇ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବାରିପଦା ସହରର ଷ୍ଟେସନ ବନ୍ଧ, ଦାରଗାଡ଼ାହିସ୍ଥିତ ନଦୀ ଘାଟ, ବୁଢ଼ାବଳଙ୍ଗ ନଦୀର ଚିପଟ ଅସ୍ତିଆ ଓ ମଧୁବନ ଡ଼ଙ୍ଗାଘାଟ ସାହିରେ ଛଠ୍ ପର୍ବ ଆନନ୍ଦ ଉହ୍ଲାସର ସହ ପାଳିତ ହୋଇଛି । ପୂଜାଘାଟ ଲୋକମାନଙ୍କ ସମାଗମରେ ପରିପୂର୍ଣ୍ଣ ହୋଇଉଠିଥିଲା । ଛଠୀ ମୈୟାଙ୍କ ଭଜନ ସଂକୀର୍ତ୍ତନରେ ପରିବେଶ ମଧ୍ୟରେ ବ୍ରତୀମାନେ ସପରିବାର ନଦୀ ଘାଟରେ ଡଳାରେ ଫଳ, ପୁଷ୍ପ, ଆଖୁଗଛ, ଧୂପଦୀପ ଆଦି ଧରି ଉପସ୍ଥିତ ହୋଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଆରାଧନା କରିଥିବା ସମୟରେ ଆସନ୍ତା କାଲି ଉଦିତ ସୂର୍ଯ୍ୟଙ୍କୁ ଭକ୍ତିପୂତ ଅର୍ଘ୍ୟ ଅର୍ପଣ ପୂର୍ବକ ପାରାନ୍ ନୀତି ସମ୍ପାଦନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର