ଚକଡ଼ା ଚଡ଼କ : ଜମିରେ ନିଆଁ ଲଗାଇଲେ ଚାଷୀ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତିତେରକୁନ୍ଦ ଗାଁରେ ଧାନ ଫସଲରେ ଚକଡ଼ା ରୋଗ ଲାଗିଥିବାରୁ ଚାଷୀ ମହଲରେ ଚକଡ଼ା ରୋଗ ଲାଗିଥିବାରୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଗୁରୁବାର ଗାଁର ରାଧୁ ଖମାରୀ ନିଜ ୪ ଏକର ଜମିରେ ହୋଇଥିବା ଧାନ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ରାଧୁଙ୍କ କହିବାନୁଯାୟୀ ତାଙ୍କର ସର୍ବମୋଟ ମାତ୍ର ଚାରି ଏକର ଜମି। ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ପରିବାର। ସେ ଡୁଙ୍ଗୁରିପାଲି ସ୍ଥିତ ଆଞ୍ଚଳିକ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଆଣି ଚାଷ କରିଥିବା ବେଳେ ସବୁ ଉଜାଡ଼ି ଦେଲା ଚକଡ଼ା ରୋଗ। ଚିନ୍ତାଗ୍ରସ୍ଥ ଓ ବିରକ୍ତି ହୋଇ ସେ କ୍ଷେତରେ ନିଆଁ ଲଗାଇ ଦେଇଥିବା ରାଧୁ କହିଛନ୍ତି। ସେ ଚକଡ଼ାର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ସିଞ୍ଚନ କରି ମଧ୍ୟ କୌଣସି ପ୍ରଭାବ ପଡ଼ି ନଥିଲା ବୋଲି ସେ କହିଛନ୍ତି। ସେହିପରି ତିତେରକୁନ୍ଦ ଗ୍ରାମର ମଦନ ଖମାରୀ, ସୁଦର୍ଶନ ଖମାରୀ, ବିଶ୍ୱ ଖମାରୀ, ନିତେଇ ଗୁରୁ, ଡିଲେଶ୍ୱର ପଧାନ, ନିକୁଞ୍ଜ ମଲ୍ଳିକ, ନିରଞ୍ଜନ ପଧାନ, ସମ୍ପଦ ମଲ୍ଳିକ, କାହ୍ନୁଚରଣ ଖମାରୀ, କଏଁରା ଗୁରୁ, ଜଗବନ୍ଧୁ ବଗର୍ତ୍ତି, ଭୋଲା ସିଂ ଖମାରୀ, ଟଙ୍କଧର ଖମାରୀ, ଗୋପାଲ ଖମାରୀ ଓ ରକ୍ଷ ଖମାରୀଙ୍କ ଧାନ ଫସଲରେ ଚକଡ଼ା ପୋକ ଯୋଗୁଁ ନାହିଁ ନଥିବା କ୍ଷତି ହୋଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସଂପୃକ୍ତ ଚାଷୀ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର