ଅଧ୍ୟକ୍ଷ ଟିକଟକୁ ନେଇ ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ଗଣ୍ଡଗୋଳ, ବିଧାୟକଙ୍କୁ ଅସଦବ୍ୟବହାର

ଖୋର୍ଦ୍ଧା: ଆଜି ଥିଲା ବିଜୁ ଜୟନ୍ତୀ। ସକାଳେ ବିଜେଡି ପକ୍ଷରୁ ସହରର ବିଜୁ ପଟ୍ଟନାୟକ ପାର୍କସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ ଅନ୍ୟ ଦଳୀୟ କର୍ମକର୍ତା ମିଳିମିଶି ଫୁଲମାଳ ଚଢ଼ାଇ ଥିଲେ। ବିଜୁ ପଟ୍ଟନାୟକ ଅମର ରହେ, ବିଜେଡି ଜିନ୍ଦାବାଦ କରିଥିଲେ। ଅପରାହ୍ନରେ ଦଳୀୟ କାର୍ଯ୍ୟାଳୟରେ ଏକ ସଭା ହୋଇଥିଲା, କିନ୍ତୁ ସଭାରେ ସକାଳର ସେହି ଦଳୀୟ ମିଳାମିଶାର ଚିତ୍ର ଦେଖିବାକୁ ମିଳିନଥିଲା। ଅଧ୍ୟକ୍ଷ ଟିକଟକୁ ନେଇ ଗୋଟିଏ ଗୋଷ୍ଠୀ ଗାଳିଗୁଲଜ କରିବା ସହ ବିଧାୟକଙ୍କୁ ଅସଦବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହେଲା ଯେ ଜୟନ୍ତୀ ପାଳନ କାଂଟଛାଂଟ କରି ଶେଷ କରିବାକୁ ପଡ଼ିଲା। ଅପରାହ୍ନରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ମିତ୍ରଙ୍କ ସମେତ ଶତାଧିକ କର୍ମକର୍ତା ଓ ଟିକଟ ଆଶାୟୀଙ୍କ ଭିଡ଼ ଲାଗିଥିଲା। ଜୟନ୍ତୀ ପାଳନରେ କର୍ମୀଙ୍କ ଯେତିକି ଉତ୍ସାହ ନଥିଲା, ତାଙ୍କ ଠାରୁ ଅଧିକ ଟିକଟ ସୁନିଶ୍ଚିତ କରିବାର ଲବି ଅଧିକ ଦେଖିବାକୁ ମିଳିଥିଲା। ଏହି ସମୟରେ ସେଠାରେ ଗୁଜବ ଉଠିଲା ଯେ ବିଜେଡି ପକ୍ଷରୁ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ମୁକୁନ୍ଦପ୍ରସାଦର ପୂର୍ବତନ କାଉନସିଲର କନକଲକ୍ଷ୍ମୀ ମହାନ୍ତିଙ୍କୁ ଟିକଟ ଦିଆଯାଇଛି। ଏହାପରେ ଆଶାୟୀ ଥିବା ପ୍ରାର୍ଥୀ ଓ ସମର୍ଥକ ତାତି ଉଠିଥିଲେ। ସେଠାରେ ମହିଳାଙ୍କ ଉପସ୍ଥିତି ଆଦିକୁ ଖାତିର ନକରି ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।

ଶେଷରେ ଜଣେ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀଙ୍କ ସହ ଦୁଇଜଣ ଯୁବକ ବିଧାୟକ ଶ୍ରୀ ମିତ୍ରଙ୍କ ଉପରକୁ ଝପଟି ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲେ। ବିଧାୟକ ସମର୍ଥକଙ୍କ ଓ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶେଷରେ ସେଠାରେ ନିୟୋଜିତ ଥିବା ପୁଲିସ ବିଧାୟକଙ୍କୁ ଅସଦ ବ୍ୟବହାର କରିଥିବା ଦୁଇଜଣଙ୍କୁ ଧରି ଆଣିଥିଲା। ଏହି ଘଟଣାରେ ବିଧାୟକ ଶ୍ରୀ ମିତ୍ର କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ୧୨ଜଣ ନିଜର ଦାବି ଦେଇଛନ୍ତି। ସେମାନଙ୍କ ଦାବିକୁ ରାଜ୍ୟ କାର୍ଯ୍ୟାଳୟକୁ ପଠାଇଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ରାତିସୁଦ୍ଧା ଘୋଷଣା ହେବା ସମ୍ଭାବନା ରହିଛି। ବିଜେଡି ଏକ ବିଶାଳ ଦଳ। ଏଭଳି ଅସନ୍ତୋଷ ରହିବା ସ୍ୱାଭାବିକ। ଦଳ ଏକ ଶୃଙ୍ଖଳିତ ଦଳ, ଦଳ ଯାହାକୁ ପ୍ରାର୍ଥୀ କରିବ ତାକୁ ଅନ୍ୟମାନେ ଗ୍ରହଣ କରିବେ। ଏଥର ବିଜେଡି ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନରେ ବିପକ୍ଷ ପ୍ରାର୍ଥୀଙ୍କ ଠାରୁ ୧୦ହଜାରରୁ ଅଧିକ ଭୋଟରେ ଜିତିବ। ଅପରପକ୍ଷରେ, ଏନେଇ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗଣ୍ଡଗୋଳ ନେଇ କେହି ଲିଖିତ ଅଭିଯୋଗ କରିନାହାନ୍ତି କିମ୍ବା କାହାରିକୁ ଅଟକ ରଖାଯାଇନାହିଁ।

ସମ୍ବନ୍ଧିତ ଖବର