ଚର୍ଚ୍ଚାରେ ବାଲେଶ୍ୱର ପୌରାଧ୍ୟକ୍ଷ ପଦ, ୩୦ ବର୍ଷ ପୂର୍ବରୁ ହୋଇଥିଲା ପ୍ରତ୍ୟକ୍ଷ ନିର୍ବାଚନ

ସିପିଆଇ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିଲା ଜନମତ

ବାଲେଶ୍ବର: ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରି ସାରିବା ପରେ ଏବେ ପୌର ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ସେନେଇ ଏବେ ସବୁଠି ଚର୍ଚ୍ଚା। ଚଳିତଥର ପୌରାଧ୍ୟକ୍ଷ/ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। କାଉନସିଲର/କର୍ପୋରେଟରଙ୍କ ଭଳି ପୌରାଧ୍ୟକ୍ଷ/ମେୟରଙ୍କୁ ବି ଭୋଟର ସିଧାସଳଖ ନିର୍ବାଚିତ କରିବେ। ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ରାଜନୈତିକ ଇତିହାସକୁ ଯଦି ଅବଲୋକନ କରିବା ତାହେଲେ ବିଗତ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ‌ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ଶାସକଦଳକୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା।

୩୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୯୨ ମସିହାରେ ପୌର ତଥା ନିଗମ ଅଧ୍ୟକ୍ଷ ପଦ ପାଇଁ ହୋଇଥିଲା ପ୍ର‌ତ୍ୟକ୍ଷ ନିର୍ବାଚନ। ସେତେବେଳେ ରାଜ୍ୟରେ ଜନତା ଦଳର ସରକାର ଥିଲା ଏବଂ ସ୍ବର୍ଗତ ବିଜୁ ପଟ୍ଟନାୟକ ଥିଲେ ମୁଖ୍ୟମନ୍ତ୍ରୀ। ପାଖାପାଖି ୭୦ ହଜାର ଭୋଟରଙ୍କୁ ନେଇ ୨୬ଟି ୱାର୍ଡରେ ବିଭକ୍ତ ହୋଇଥିବା ବାଲେଶ୍ବର ପୌରପାଳିକାରେ ପୌରାଧ୍ୟକ୍ଷ ପଦ ପାଇଁ ସିପିଆଇରୁ ତପନ ଚକ୍ରବର୍ତ୍ତୀ, କଂଗ୍ରେସରୁ ଗୋପନାରାୟଣ ଦାସ, ବିଜେପିରୁ ସିନ୍ଧୁଦେବୀ ଆଚାର୍ଯ୍ୟ, ଜନତା ଦଳରୁ ଅଧୀପ ଦାସ, ସ୍ବାଧୀନରୁ ସୁକୁମାର ନାୟକ ଏବଂ ଅବ୍ଦୁଲ ରଫିକ୍‌ ଓ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିରୁ ଅଲ୍ଲେଖ ଦାସ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ଫେବ୍ରୁଆରି ମାସରେ ‌ହୋଇଥିଲା ନିର୍ବାଚନ। ପୌରାଧ୍ୟକ୍ଷ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ୁ ଥିବାରୁ ସମସ୍ତ ପ୍ରାର୍ଥୀ କାଉନସିଲର ପ୍ରାର୍ଥୀଙ୍କ ଭଳି ଭୋଟରଙ୍କ ନିକଟକୁ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ଶେଷରେ ନିର୍ବାଚନର ଫଳାଫଳ ସିପିଆଇ ପ୍ରାର୍ଥୀ ଶ୍ରୀ ଚକ୍ରବର୍ତ୍ତୀଙ୍କ ସପକ୍ଷରେ ଯାଇଥିଲା ଏବଂ କଂଗ୍ରେସର ଗୋପନାରାୟଣ ଦାସଙ୍କୁ ପାଖାପାଖି ୬୦୦ରୁ ଅଧିକ ଭୋଟ୍‌ରେ ସେ ପରାଜିତ କରି ପୌରାଧ୍ୟକ୍ଷ ଆସନରେ ବସିଥିଲେ।

ଶ୍ରୀ ଚକ୍ରବର୍ତ୍ତୀ ପୌରାଧ୍ୟକ୍ଷ ଥିବା ସମୟରେ ବାଲେଶ୍ବର ସହରବାସୀଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା‌, ସହରର ବେକାରୀ ଯୁବକ ଏବଂ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ଲାଗି ବିଭିନ୍ନ ସ୍ଥାନରେ ମାର୍କେଟ୍‌ କମ୍ପ୍ଲେକ୍ସ, ଫକୀରମୋହନ ଗୋଲେଇ ପାର୍କ, ଓଟିରୋଡ୍‌ରେ ୱାନ୍‌ ୱେ ବ୍ୟବସ୍ଥା, ସହଦେବଖୁଣ୍ଟା ଓ ଦାମୋଦରପୁର ଠାରେ ପୌରପାଳିକା ତରଫରୁ ନୂତନ ବିଦ୍ୟାଳୟ ପ୍ରତିଷ୍ଠା, ସହରର ରାସ୍ତାଘାଟରେ ଷ୍ଟ୍ରିଟ୍‌ ଲାଇଟ୍‌ ସୁବିଧା, ପୁରୁଣା ବାଲେଶ୍ବରରୁ ରେମୁଣା କ୍ଷୀରଚୋରା ମନ୍ଦିର ପର୍ୟ୍ୟନ୍ତ ଟାଉନ ବସ୍‌ ସୁବିଧା, ପୌରପାଳିକା ତରଫରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଆଦି ବହୁ ବିକାଶମୂଳକ କାମ ହାତକୁ ନିଆଯିବା ସହ ସଫଳ ରୂପାୟନ ମଧ୍ୟ କରାଯାଇଥିଲା। ଏନେଇ ଶ୍ରୀ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ, ସେତେବେଳେ ରାଜନୈତିକ ବିଦ୍ବେଷ ଏତେଟା ନଥିଲା। କିଏ କେଉଁ ଦଳର ନିର୍ବାଚନ ପରେ ସେସବୁ ଭାବନା ନରଖି ପୌର ପରିଷଦର ସମସ୍ତେ ସଦସ୍ୟ ଭାବେ ଏକ ହୋଇ କାମ କରୁଥିଲେ ଏବଂ ନିଜନିଜର ଦାୟିତ୍ବ ସୁଚାରୁରୂପେ ତୁଲାଉଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ସହରର ବିକାଶ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇନଥିଲେ ମଧ୍ୟ ପୌର ପରିଷଦ ପାଣ୍ଠିରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ନିଆଯାଇ ପାରିଥିଲା ବୋଲି ସେ କହିଛନ୍ତି।

ସେତେବେଳେ ପ୍ରତ୍ୟକ୍ଷ ନିର୍ବାଚନରେ ତାଙ୍କ ଜିତିବାର ସବୁଠୁ ବଡ଼ କାରଣ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ ଯେ, ୧୯୮୪ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ ସେ ବାଲେଶ୍ବର ପୌରପାଳିକାରେ ଉପାଧ୍ୟକ୍ଷ ଥିଲେ। ସେତେବେ‌େଳ ସୁକୁମାର ନାୟକ ପୌରାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ହେଁ ୧୯୮୫ ମସିହା ସାଧାରଣ ନିର୍ବାଚନରେ ନୀଳଗିରିରୁ ବିଧାୟକ ପ୍ରାର୍ଥୀ ହୋଇ ଜିତିଲେ। ଏହାପ‌େର ଦୁଇଟିଯାକ ଦାୟିତ୍ବ ଏକାସାଙ୍ଗରେ ତୁଲାଇବା ସମ୍ଭବ ନହେବାରୁ ପୌରପାଳିକାର ୯୦ ପ୍ରତିଶତ କାମ ଉପାଧ୍ୟକ୍ଷ ଭାବେ ସେ ତୁଲାଇଥିଲେ। ତାର ପ୍ରତିଫଳନ ପରବର୍ତ୍ତୀ ନିର୍ବାଚନରେ ଦେଖିବାକୁ ମିଳିଥିଲା। ସେ ପୌରାଧ୍ୟକ୍ଷ ହୋଇଥିଲେ। ତେଣୁ ଜନସାଧାରଣଙ୍କ ସମସ୍ୟା ସହ ଯୋଡ଼ି ହୋଇ ରହିଲେ ସେମାନଙ୍କ ସମର୍ଥନ ନିଶ୍ଚିତ ଭାବେ ମିଳିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦ ପାଇଁ ବାଲେଶ୍ବର ପୌର ପରିଷଦରୁ ପ୍ରମୁଖ ୩ ଦଳ ଯଥାକ୍ରମେ ବିଜେଡି, ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ଦିଆଯାଇଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି, ଭାରତ ହିନ୍ଦୁ ମହାସଭା ଏବଂ ସ୍ବାଧୀନରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ନେଲେ ବିଜେଡିରୁ ସବିତାରାଣୀ ସାହୁ, ବିଜେପିରୁ ରଶ୍ମିରେଖା ଦେବ, କଂଗ୍ରେସରୁ ପ୍ରଜ୍ଞାପାରମିତା ବିଶ୍ବାଳ, ଭାରତ ହିନ୍ଦୁ ମହାସଭାରୁ ଚିତ୍ରାରାଣୀ ପାତ୍ର, ଆମ୍‌ ଅଦ୍‌ମୀ ପାର୍ଟିରୁ ସବିତାରାଣୀ ଦାସ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ସଂଧ୍ୟା ଚକ୍ରବର୍ତ୍ତୀ।

ସବୁଠୁ କୌତୁହଳର ବିଷୟ ହେଉଛି ସ୍ବାଧୀନରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଚକ୍ରବର୍ତ୍ତୀ ହେଉଛନ୍ତି ୧୯୯୨ ମସିହା ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ‌ନିର୍ବାଚିତ ହୋଇଥିବା ତପନ ଚକ୍ରବର୍ତ୍ତୀଙ୍କ ପତ୍ନୀ। ଶ୍ରୀ ଚକ୍ରବର୍ତ୍ତୀ ବର୍ତ୍ତମାନ ଶାସକଦଳ ବିଜେଡି‌େର ସକ୍ରିୟ କର୍ମୀ ଭାବେ ଦାୟିତ୍ବ ତୁଲାଉଥିଲେ ହେଁ ତାଙ୍କ ପତ୍ନୀ କାହିଁକି ସ୍ବାଧୀନ ଭାବେ ପ୍ରାର୍ଥୀ ହେଲେ ସେନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ପୌରାଞ୍ଚଳବାସୀଙ୍କ ସମସ୍ୟା ଏବଂ ସହରର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ନିକଟକୁ ‌ଯିବେ ଏବଂ ନିଜ ପାଇଁ ଭୋଟ ମାଗିବେ ବୋଲି କହିଛନ୍ତି। ବର୍ତ୍ତମାନ ବାଲେଶ୍ବର ପୌରପାଳିକାରେ ୩୧ଟି ୱାର୍ଡ ଏବଂ ୯୬ ହଜାର ୩୪୬ ଜଣ ଭୋଟର ଅଛନ୍ତି। ତେବେ ପ୍ରତ୍ୟକ୍ଷ ନିର୍ବାଚନରେ ସେମାନେ କାହାକୁ ନିଜ ମନପସନ୍ଦର ନେତା ଭାବେ ନିର୍ବାଚିତ କରିବେ ତାହା ନିର୍ବାଚନ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର