ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା‘ ମଝିଘରିଆଣିଙ୍କ ଚୈତ୍ର ପର୍ବ ଆରମ୍ଭ

ରାୟଗଡା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଛି। ମା’ଙ୍କର ଏହି ପର୍ବ ୧ ତାରିଖ ଠାରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପାଞ୍ଚ ଦିନ ମା’‘ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି। ମା’ଙ୍କର ଏହି ସୁନା ବେଶକୁ ଦେଖିବା ସହ ପୂଜାର୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି ବହୁ ଶ୍ରଦ୍ଧାଳୁ। ମା‘ଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଂଚଳ ସହ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ସହ ଅନ୍ୟ ରାଜ୍ୟରୁ ମଧ୍ୟ ବହୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟୁଛି। ନିଜ ମାନସିକ ପୂରଣ କରିଥିବାରୁ ମା‘ଙ୍କ ନିକଟରେ ଶ୍ରଦ୍ଧାଳୁ ଛେଳି, କୁକୁଡା ବଳି ଦବା ସହ ମୁଣ୍ଡନ ହୋଉଥିବାର ଦେଖିବାକୁ ମିଳିଛି।

ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମନ୍ଦିରକୁ ସୁନ୍ଦର ରଙ୍ଗ ବିରଙ୍ଗର ଆଲୋକ ତୋରଣ ସହ ଫୁଲରେ ସଜ୍ଜିତ କରାଯାଇଛି। ମା’ଙ୍କର ଏହି ପର୍ବରେ ସାମିଲ ହୋଇ ମାଆଙ୍କର ସୁନା ବେଶକୁ ଦେଖିବାର ସୁଯୋଗ ପାଇଥିବାରୁ ଶ୍ରଦ୍ଧାଳୁ ବେଶ୍ ଖୁଶି ଥିବା ପ୍ରକାଶ କରିଛନ୍ତି। ପୂଜକମାନଙ୍କ ମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ମନ୍ତ୍ରମୟ ହୋଇପଡିଛି। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଚୈତ୍ର ଶୁକ୍ଳ ପୂର୍ଣ୍ଣମା ପର୍ଯ୍ୟନ୍ତ ମା‘ଙ୍କର ଏହି ଚୈତ୍ର ପର୍ବ ପାଳନ କରାଯାଇଥାଏ।

ଗତକାଲି ମଣ୍ଡଳ ବିନ୍ୟାସ ପରେ ଦୀକ୍ଷା ଗ୍ରହଣ ଏବଂ ସନ୍ଧ୍ୟାରେ ମନ୍ଦିର ନିକଟରେ ପ୍ରବାହିତ ଝଜାଂବତୀ ନଦୀରୁ ଜଳ ଯାତ୍ରା କରାଯାଇ ଅଙ୍କୁରାରୋପଣ କରାଯାଇଥିଲା। ଏଥିସହ ଆଜି କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଳପୂଜା, ମୂଖ୍ୟ ଦେବତା ପୂଜା, ଚଣ୍ଡିପାଠ, ଆଳତି, ପୁଷ୍ପାଞ୍ଜଳି ସହ କୁଣ୍ଡ ଓ ଅଗ୍ନି ସଂସ୍କାର ହୋମ ସହ ଘଟ ସ୍ଥାପନ କରାଯାଇଛି। ପ୍ରତିଦୀନ ମା‘ଙ୍କ ଘଟ ନଗର ପରିକ୍ରମା କରାଯିବା ସହ ବିଶ୍ୱଶାନ୍ତି ନିମନ୍ତେ ହୋମଯଜ୍ଞ ଅନୁଷ୍ଠିତ ହବ ବୋଲି କୁହାଯାଇଛି। ଶେଷ ଦିନ ଏପ୍ରିଲ ୫ ତାରିଖ ଦିନ ଝାମୁ ଅଗ୍ନି ପୂଜା ପରେ ପୂଜକ କଣ୍ଟା ଦୋଳିରେ ଝୁଲିବା ସହ ଅଗ୍ନିରେ ଚାଲିବା ଏବଂ ଚରୁ ବିତରଣ କରାଯିବ ବୋଲି ଚିକିଟିରୁ ଆସିଥିବା ମୂଖ୍ୟ ପୂଜକ ପଣ୍ଡିତ ନୀଳମାଧବ ତ୍ରିପାଠୀ ପ୍ରକାଶ କରିଛନ୍ତି।

ସେହିପରି ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ଅସ୍ଥାୟୀ ଶିବିରିର ଆୟୋଜନ ଏବଂ ମାଆଙ୍କ ନିକଟକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ୫ ଦିନ ଧରି ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରିଛି ମନ୍ଦିର କମିଟି। କେବଳ ସେତିକି ନୁହେଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଯେପରି ବିନା କୌଣସି ବାଧା ବିଘ୍ନରେ ମା’ଙ୍କ ନିକଟକୁ ଆସିବେ ସେଥିପ୍ରତି ଧ୍ୟାନ ଦେଇ ରାୟଗଡା ରେଳଷ୍ଟେସନରୁ ମା‘ଙ୍କ ମନ୍ଦିର ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ବିନା ମୂଲ୍ୟରେ ଏକ ବସ୍‌ର ବ୍ୟବସ୍ଥା ହୋଇଥିବା ମନ୍ଦିର ପରିଚାଳନା କମିଟିର ଅଧକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି ।ତେବେ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଚାଲିଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା‘ଙ୍କ ନିକଟରେ ମାନସିକ କରି ଘରକୁ ଫେରୁଛନ୍ତି। ମାନସିକ ପୂରଣ ହେଲେ ପୁଣି ଆସନ୍ତା ବର୍ଷକୁ ନିଜର ମାନିସକ କରିଥିବା ଜିନିଷ ମା‘ଙ୍କ ନିକଟରେ ପ୍ରଦାନ କରିବେ।ପ୍ରଶାସନ ତରଫରୁ ମଧ୍ୟ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର