ମା’ ତାରାତାରିଣୀଙ୍କ ‌ଚୈତ୍ର ମଙ୍ଗଳବାର ତୃତୀୟ ପାଳି କଟକଣା ଯୋଗୁଁ କମିଲା ଭିଡ଼

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ତୃତୀୟ ପାଳି ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି। ତେବେ ପ୍ରଶାସନର କଟକଣା ଯୋଗୁଁ ମାତ୍ର ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କେବଳ ପୁରୁଷୋତ୍ତମପୁର ବ୍ଲକ୍ ଓ ଏନ୍‌ଏସିବାସୀଙ୍କୁ ଦର୍ଶନ ଅନୁମତି ମିଳିଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜାଗାରେ ହାତଗଣତି ସମାଗମ ହୋଇଥିଲା। କିନ୍ତୁ କୌଣସି ପରିଚୟପତ୍ର ଯାଞ୍ଚ ହୋଇ ନଥିଲା। ସେହିପରି ମୁଣ୍ଡନ ଉପରେ କଟକଣା ଲାଗିଥିବାରୁ  ମାନସିକଧାରୀ ମାନେ ଯିଏ ଯେଉଁଠି ପାଇଲେ ସେଠାରେ ପିଲାଙ୍କୁ ମୁଣ୍ଡନ କରିଥିଲେ। ଖାଲି ଏତିକି ନୁହେଁ, କିଛି ସ୍ଥାନରେ ଲୁଚାଛପାରେ ଭୋଜିଭାତର ଆସର ବି ଜମିଥିଲା।

ପ୍ରତିବର୍ଷ ଭଳି ତୃତୀୟ ପାଳିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ମନ୍ଦିର ଏବଂ ପ୍ରଶାସନ ପକ୍ଷରୁ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଥିଲା।  କିନ୍ତୁ କଟକଣା ସତ୍ତ୍ବେ ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ହିଁ ଆସି ପିଲାଙ୍କ ମୁଣ୍ଡନ ଆରମ୍ଭ କରିଦେଇଥିଲେ। ଆଜି ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ମୁଣ୍ଡନ ଚାଲିଥିଲା। ମୁଣ୍ଡନ ବନ୍ଦ କରିବାକୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ୨ଟି ଟିମ୍ ଗଠିତ ହୋଇଥିଲେ ବି କିଛି ସୁଫଳ ମିଳି ନଥିଲା। ଭୋର୍ ୩ଟାରେ ମନ୍ଦିର ଦ୍ବାର ଫିଟାଯାଇ  ସମସ୍ତ ନୀତି ସଂପନ୍ନ କରାଯାଇଥିଲା। ଭୋର୍ ୫ଟାରୁ ମା’ସରସ୍ବତୀ ବେଶରେ ମା’ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରଦ୍ଧାଳୁ ମାନେ ଶିଶୁଙ୍କୁ ଧରି ଶୃଙ୍ଖଳିତ ଭାବେ ଛିଡ଼ା ହୋଇ ମା’ଙ୍କ ଦର୍ଶନ କରିଥିଲେ। ଆଉ ସକାଳ ୧୦ଟା ପରେ ଭିଡ଼ କମିଯାଇଥିବା ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳା ତଦାରଖ ପାଇଁ ୩ଜଣ ଅତିରିକ୍ତ ଏସ୍‌.ପି., ୩ଜଣ ଡିଏସ୍‌ପି, ୧୨ଜଣ ଇନସପେକ୍ଟର୍, ୧୦୦ଜଣ ସବ୍‌ଇନସପେକ୍ଟର୍,  ଏଏସ୍‌ଆଇ, ୧୬୦ଜଣ କନଷ୍ଟେବଳ, ୧୮୦ ଜଣ ହୋମଗାର୍ଡ଼ ଓ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର