ଚାଷୀ ମୁଣ୍ଡରେ ଚକଡ଼ା ଚଡ଼କ : ନିରାକରଣ ପାଇଁ ଚିନ୍ତାରେ ଚାଷୀ

ଜୟପୁର : ଚାଷୀ ମୁଣ୍ଡରେ ଏବେ ଚକଡ଼ା ଚଡ଼କ। ପ୍ରଥମେ ବିହନ, ତା ପରେ ଠିକଣା ସମୟର ବର୍ଷା ନ ହେବା ଫଳରେ ଚାଷୀ ନାହିଁ ନଥିବା ହଇରାଣ ହରକତ ହୋଇଥିଲେ । ଏହା ପରେ ପୁଣି ୟୁରିଆ ପାଇଁ ଧାଁ ଧପଡ଼ କରି ନୟାନ୍ତ ହୋଇଥିଲେ। ଗତ ବର୍ଷ ଶହ ଶହ ହେକ୍ଟର ଜମିରେ ଚକଡ଼ା ଆତଙ୍କ ଦେଖାଦେଇଥିବା ବେଳେ ଏବର୍ଷ ଦେଖା ଦେବ ନାହିଁ ବୋଲି ଚାଷୀ ଭା‌ବି ଥିଲେ। ତେବେ ପୁଣି ଏହି ଭୟଙ୍କର ରୋଗ ପୋକ ପୁଣି ଫେରିଛି। ଜୟପୁର ବ୍ଲକର ବାଲିପୁଜାରୀପୁଟ, କେବିଡ଼ି, ମାଳିକରଛି, ବରିଫୁଟ, ଛତର୍ଲା, ପୁଜାରୀପୁଟ, ମୀନାଗୁଡା, ଚାରଗାଁ, ହଡପା, ପେରାହାଣ୍ଡି, ଜୟନ୍ତଗିରୀ, ଉମୁରୀ, ରଣ୍ଡାପାଲ୍ଲୀ , ବୋରିଗୁମ୍ମା ବ୍ଲକର ଅଂଚଳା, ବିରିଗୁଡ଼ା , ପର୍ଲ୍ଲୀ, ସାନପିଣ୍ଡାପଦର, ବଡପିଣ୍ଡାପଦର, ଦୁଲ୍ଲାଗୁଡା, ମଝିଆ ଆଦି ଅଂଚଳରେ ଧିରେ ଧିରେ ଏହି ଚକଡ଼ା ପୋକର ପ୍ରାର୍ଦୁଭାବ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଏପରି ଏହା ଲାଗି  ରହିଲେ  ବିପଦ ସାଜିପାରେ । ଏହି ସମୟରେ ଧାନ ଗଛର ଗଭା ଫୁଲରୁ ଧାନ ମଂଜି ବାହାରିବାର ସମୟ। ଏହି ସମୟରେ ଶହ ଶହ ଏକର ଜମିରେ ଏହା ଦେଖିବାକୁ ମିଳିଛି। ଏହି ରୋଗପୋକ ଯୋଗୁଁ ସବୁଜ ରଂଗର ଥିବା ଧାନ ଗଛ ଓ କେଣ୍ଡା ଗୁଡ଼ିକ ଧିରେ ଧିରେ ସଂପୁର୍ଣ୍ଣ ଧୂସର ରଂଗରେ ପରିଣତ ହେଉଛି। ଔଷଧ ପକାଇବାର ଅଳ୍ପ କିଛି ସମୟ ମଧ୍ୟରେ ଏହି ରୋଗପୋକ ପାର୍ଶ୍ବରେ ଥିବା ଜମି ପସଲ ମଧ୍ୟକୁ ଉଡ଼ି  ପଳାଉଛନ୍ତି। ସେଠାରେ ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି।  ଏହାକୁ ରୋକିବା ପାଇଁ ଚାଷୀ ମାନେ ନିଜ ଜମିର ଧାନକୁ ଭାଗ ଭାଗ କରୁଛନ୍ତି। ଏହା ବାଦେ ବି ଏମାନଙ୍କର ପ୍ରାର୍ଦୁଭାବ କମୁନି।

ବ‌‌ାଲିପୁଜାରୀପୁଟର ଚା‌ଷୀ ହରିହର ନାୟକ ନିଜର ୨ଏକର ଓ ଭାଗରେ ୩ଏକର ଚାଷ କରିଥିଲେ। ତେବେ ସବୁ ଜମିରେ ଚକଡ଼ାର ପ୍ରାଦୁର୍ଭାବ। ଅଂଚଳାର ରାମଧର ହାଲୱାଙ୍କ ୩ଏକର ଜମିରେ  ଏବେ ଚକଡ଼ା ।

ଏଭଳି କିଛି ସ୍ଥାନରେ ‌ହୋଇଥିବା ସୂଚନା ମିଳିଛି। ହାଇବ୍ରୀଡ଼ ଧାନ ବିହନ, ଅଧିକା ୟୁରିଆ ସାର୍ ପ୍ରୟୋଗ ଏଭଳି ରୋଗ ପୋକର କାରଣ ବୋଲି କହିଛନ୍ତି  ସହକାରୀ କୃଷି ଅଧିକାରୀ ଜି.ଭେଙ୍କଟ ରେଡ୍ଡୀ। ‌ଯେଉଁ ସବୁ ଅଂଚଳରେ ଏଭଳି ଦେଖାଦେଇଛି ତୁରନ୍ତ ଉକ୍ତ ଅଂଚଳର କୃଷି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ଚକଡ଼ା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଯଦି ଏବେ କୃଷି ବିଭାଗ ଘଟଣାକୁ ଗୁରୁତର ସହ ନେଲେ ଏହାର ନିରାକରଣ ସମ୍ଭବ । ଯଦି ବିଳମ୍ବ ହୁଏ ତେବେ ସ୍ଥିତି ସାଂଘାତିକ ହେବ ।

 

ସମ୍ବନ୍ଧିତ ଖବର