ହରିଚନ୍ଦନପୁର: କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଧାନ ଫସଲରେ ଚକଡ଼ା ପୋକ ମାଡ଼ିଗଲେଣି। ଔଷଧ ସିଞ୍ଚନ କଲେ ମଧ୍ୟ ପୋକ ନିୟନ୍ତ୍ରଣ ହେଉନାହିଁ। ବ୍ଲକ୍‌ର ଠାକୁରପଡ଼ା, ସୁନାପେଣ୍ଠ, କମଳାଙ୍ଗି, ଧୁରୁଡ଼ିଆମ୍ବ, ଜାମଦା, ତାଳଡିହି, ମାଣିଆବିନ୍ଧା, ମାନପୁର, ଅର୍ଜୁନଚୁଆ ଆଦି ଗ୍ରାମର ଧାନ ଫସଲରେ ଚକଡ଼ା ପୋକ ଲାଗିଛନ୍ତି। ଏବେ ଧାନଗଛରେ ଫୁଲ ଧରି ଥୋଡ଼ ବାହାରିଲାଣି। ଚକଡ଼ା ପୋକ ଧାନ ଗଛର ମୂଳରେ ଲାଗି ରସ ଶୋଷି ନେଉଥିବାରୁ ଗଛ ସବୁ ନାଲି ପଡ଼ିଯାଉଛି। ଏହା ଗୋଟିଏ କିଆରିରୁ ଅନ୍ୟ କିଆରିକୁ ଦ୍ରୁତ ଗତିରେ ମାଡ଼ି ଚାଲୁଛି। ଧାନ ଫସଲକୁ କିପରି ସୁରକ୍ଷା ଦେବେ ତାକୁ ନେଇ ଚିନ୍ତାରେ ଚାଷୀ।

Advertisment

ଜାମଦା ଗ୍ରାମର ଲକ୍ଷ୍ମୀଧର କିଶାନ, ଚୈତନ୍ୟ କିଶାନ, ହରିହର ମୁଣ୍ଡା, ଗୁରୁଚରଣ କିଶାନ, ରବୀନ୍ଦ୍ର କିଶାନ, ରାହାସ ପ୍ରଧାନ, ବୈକୁଣ୍ଠ ପ୍ରଧାନ, କୁଳମଣି କିଶାନଙ୍କ ଜମିରେ ଚକଡ଼ା ପୋକ ଲାଗିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଶଶୀଭୂଷଣ ମହାପାତ୍ରଙ୍କୁ ପଚାରିବାରୁ ଔଷଧ ସିଞ୍ଚନ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି, ସେମାନେ ବଜାରରୁ ଔଷଧ କିଣି ସିଞ୍ଚନ କରିପାରିବେ ଏବଂ ପରେ ରିହାତି ଦିଆଯିବ ବୋଲି ଜଣାଇଛନ୍ତି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଅଧିକ ଜମିରେ ଚକଡ଼ା ପୋକ ଲାଗିଥିବା ସେ କହିଛନ୍ତି।

ସେହିପରି କେନ୍ଦୁଝର ଝୁମ୍ପୁରାରେ ମଧ୍ୟ ଚକଡ଼ା ପୋକ ଲାଗିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଏକରଏକର ଧାନକ୍ଷେତ ସମ୍ପୂର୍ଣ୍ଣ ନ​ଷ୍ଟ ହୋଇଯାଇଛି। ଧାନ ଫୁଟିବା ମାତ୍ରେ ଚକଡ଼ା ପୋକ ଖାଇଯାଉଛନ୍ତି। ଫଳରେ ଗଛ ସବୁ ହଳଦିଆ ପଡ଼ିଯାଇଛି। ଏପରି ଅବସ୍ଥା ହେଲାଣି ବିଲରୁ ଧାନ ତ ଧାନ କୁଟାଖିଅ ମଧ୍ୟ ଘରକୁ ଆସିବନାହିଁ ବୋଲି ଚାଷୀମାନେ କହିଛନ୍ତି। ଏ ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ କରିବାକୁ କୌଣସି କୃଷି ଅଧିକାରୀଙ୍କ ଦେଖା ମିଳୁନାହିଁ। ଚଳିତ ବର୍ଷ ଭଲବର୍ଷା ହୋଇଥିବାରୁ ଚାଷୀ ବିଲରେ ଭଲଧାନ ଫଳାଇଥିଲା। ହେଲେ ଅମଳ ସମୟରେ ନିରାଶ ହେବାକୁ ପଡ଼ିଛି। ଏବେ ଔଷଧ କିଣିବାକୁ ପାଖରେ ପଇସା ନାହିଁ। କୃଷି ବିଭାଗ ମାଗଣାରେ ଔଷଧ ଓ ସିଞ୍ଚନ ମେସିନ ଯୋଗାଇବାକୁ ଚାଷୀମାନେ ଦାବି ଜଣାଇଛନ୍ତି। ପୁଣି ନକଲି ଔଷଧ ବିକ୍ରି ହେଉଥିବାରୁ ଚକଡ଼ା ପୋକ ଠିକ ଭାବେ ମରୁନାହାନ୍ତି, ଏଣେ ଚାଷୀ କ୍ଷତି ସହୁଛି। ବିଶେଷକରି ଉଖୁଣ୍ଡା ପଞ୍ଚାୟତର ଉଖୁଣ୍ଡା, କଞ୍ଚନ ଡୁମୁରିଆ, ଗୋପିବଲ୍ଲଭପୁର, ଜାମୁଦର ସାହି, କାଶିପୁର, ଶିଙ୍ଗମାଜୁଣି ଆଦି ଗ୍ରାମରେ ୧୦୦ରୁ ଅଧିକ ଚାଷୀଙ୍କ ଏକରଏକର ଚାଷଜମିରେ ଚକଡ଼ା ଲାଗି ଧାନଫସଲ ନଷ୍ଟ ହୋଇଯାଇଛି। ସେହିପରି ଟୁକୁଡିହା, ବଡ଼ନେଉଳି, ବାରିଆ, ଧନୁର୍ଜୟପୁର, ଝୁମ୍ପୁରା, ଅସନପାଟ, ବଡ଼ଡୁମୁରିଆ ଆଦି ପଞ୍ଚାୟତରେ ମଧ୍ୟ ବହୁଳ ଭାବରେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳିଛି। କୃଷି ବିଭାଗ କ୍ଷୟକ୍ଷତି ଆକଳନ କରିବାକୁ ଦାବି ହୋଇଛି।