ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ର ସୁନାପେଣ୍ଠ, ଠାକୁରପଡ଼ା, ମନୋହରପୁର, ଜାମୁଯୋଡ଼ି, ଜିରାଙ୍ଗ, ପିଠାଗୋଳା, ବଡ଼ପଳାଶପାଳ, ଭଅଁରପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦୁଇଶହ ହେକ୍ଟର ଜମିର ଧାନ ଫସଲରେ ଚକଡ଼ା ପୋକ ଲାଗିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ଲକ୍ର ୧୧ ହଜାର ୫୫୦ ହେକ୍ଟର ଜମିରେ ଚଳିତବର୍ଷ ଧାନଚାଷ ହୋଇଛି। ଏଥିରୁ ଦୁଇଶହ ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିବା ବେଳେ ସୋମବାର ସୁଦ୍ଧା ୧୮୫ ହେକ୍ଟର ଜମିରେ ଚକଡ଼ା ଦମନ ପାଇଁ ଔଷଧ ସିଞ୍ଚନ କରାଯାଇଥିବା ସହକାରୀ କୃଷି ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ କହିଛନ୍ତି। କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସୁଶାନ୍ତ କୁମାର ସାହୁ, ସହକାରୀ କୃଷି ଅଧିକାରୀ ଶ୍ରୀ ପାଣିଗ୍ରାହୀ, କୃଷି ଅଧିଦର୍ଶକ କୁମୁଦିନୀ ସାହୁ ପ୍ରମୁଖ ସୋମବାର ଠାକୁରପଡ଼ା ଓ ବାୟାପିଟା ଗ୍ରାମକୁ ଯାଇ ଚକଡ଼ା ପୋକ ଲାଗିଥିବା ଧାନକ୍ଷେତ ପରିଦର୍ଶନ କରିଥିଲେ। ଚାଷଜମିରେ ପାଣି ଥିଲେ ତାହାକୁ ନିଷ୍କାସନ କରିବା ସହ ଧାନକ୍ଷେତରୁ ପୂର୍ବ ଦିଗରୁ ପଶ୍ଚିମକୁ ପାହି କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଚକଡ଼ା ଲାଗିଥିବା କ୍ଷେତରେ ଆବଶ୍ୟକ ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଥିଲା।
ଚାଷୀଙ୍କୁ ଔଷଧ ଉପରେ ସରକାରଙ୍କ ପକ୍ଷରୁ ରିହାତି ଦିଆଯିବ ବୋଲି କହିଥିଲେ। ସେହିପରି ଚକଡ଼ା ଦ୍ବାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚାୟତର ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ପାୱାର ସ୍ପ୍ରେୟାର ଯୋଗାଇ ଦିଆଯାଇଛି। ଏହାସହ ପ୍ରତିଦିନ କୃଷି ଅଧିକାରୀମାନେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦେଉଥିବା ସହକାରୀ କୃଷି ଅଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/9fa9285a-463c-4f20-9c8d-c1609ef14c55.jpg)